ସିଡିପିଓଙ୍କୁ ୩ଘଣ୍ଟା ଅଟକ

ବାହାନଗା, ୧୨।୧୧(ଡି.ଏନ.ଏ.):
ବାଲେଶ୍ୱର ଜିଲା ବାହାନଗା ବ୍ଳକ କୋଚିଆକୋଇଲି ଗ୍ରାମର ୧ ନମ୍ବର ଅଙ୍ଗନୱାଡି କେନ୍ଦ୍ରର ସହାୟିକା ନିଯୁକ୍ତିକୁ ନେଇ ଗ୍ରାମ ମହିଳାଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛ। ସିଡିପିଓଙ୍କୁ ମହିଳାମାନେ ୩ଘଣ୍ଟା କାଳ ଅଟକ ରଖିଥିଲେ। ପରେ ସାଉଡୁ ଫାଣ୍ଡି ଓ ସୋର ଥାନାର ୧ ପ୍ଲାଟୁନ ପୋଲିସ୍‌ ଫୋର୍ସ ପହଞ୍ଚି ସିଡିପିଓଙ୍କୁ ଉଦ୍ଧାର କରିଥିଲେ।
ଅଙ୍ଗନୱାଡି କେନ୍ଦ୍ର-୧ର ସହାୟିକା ମନୋନୟନ ନିମନ୍ତେ ଚଳିତ ମାସ ୧ ତାରିଖରେ ନୋଟିଫିକେସନ କରାଯାଇଥିଲା। ସେହି ଅନୁଯାୟୀ ଶୁକ୍ରବାର ଗ୍ରାମର ୭ ଓ ଓ ୮ ନଂ. ୱାର୍ଡକୁ ନେଇ ହେବାକୁ ଥିବା ସହାୟିକା ଚୟନ କରଞ୍ଜେଇ ୟୁଜିଏମଇ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ନିୟମ ଅନୁଯାୟୀ ପ୍ରଥମେ ବିଧବାଙ୍କୁ ଅଗ୍ରାଧିକାର ଦିଆଯିବ। ସେହି ଅନୁଯାୟୀ ଗ୍ରାମର ୩ଜଣ ମହିଳା ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ସସ୍ମିତା ମହାରଣା ଅନ୍ୟ ଜଣେ ଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀ ଦୁଇଜଣ ସଧବା ହୋଇଥିବା ବେଳେ ସସ୍ମିତା ଉପାଧ୍ୟାୟ ବିଧବା ଅଟନ୍ତି ା ତେବେ ନିୟମ ଅନୁଯାୟୀ ସିଡିପିଓ ଭୋଟିଂ ନ କରି ଜଣେ ବିଧବା ମହିଳା ଥିବାରୁ ସସ୍ମିତା ଉପାଧ୍ୟାୟଙ୍କୁ ମନୋନୀତ କରିବା ସହ ସର୍ବସମ୍ମୁଖରେ ତାଙ୍କ ନାମ ଘୋଷଣା କରିଥିଲେ। ଅନ୍ୟ ଦୁଇ ଆବେଦନକାରୀ ମହିଳା ଓ ତାଙ୍କ ସମର୍ଥକମାନେ ବିଧବା ମହିଳାଙ୍କୁ ବିରୋଧ କରି ସିଡିପିଓଙ୍କ ଗାଡି ଆଗରେ ଠିଆ ହେବା ସହ ଆମ ନାମ ଘୋଷଣା ନ କଲେ ଛାଡିବୁ ନାହିଁ ବୋଲି ଜିଦ୍‌ ଧରିଥିଲେ। ବିରୋଧ କରୁଥିବା ମହିଳାଙ୍କ ଅଭିଯୋଗ ହେଲା ବିଧବା ଜଣକ ଗଁାର ବୋହୂ ନୁହେଁ ଝିଅ। ତେଣୁ ତାଙ୍କୁ ବାତିଲ କରି ଆମ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ନାମ ଘୋଷଣା କରାଯାଉ ବୋଲି ଦାବି କରିଥିଲେ। ମାତ୍ର ବିଧବା ମହିଳା ଉପାଧ୍ୟାୟଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସେ ନିଜ ବାପ ଘରେ ଦୀର୍ଘଦିନ ହେଲା ରହିଆସୁଛନ୍ତି ା ଏଠାରେ ତାଙ୍କର ଭୋଟର ତାଲିକାରେ ନାମ ଉଠିଥିବା ସହିତ ଭୋଟ ମଧ୍ୟ ଦେଉଛନ୍ତି। ଆଧାର ମଧ୍ୟ ବାପ ଘର ଠିକଣାରେ ଥିବାରୁ ସେ ଏଠାକାରର ବାସିନ୍ଦା ଅଟନ୍ତି। ତେଣୁ ସେ ସହାୟିକା ଭାବେ ନିଯୁକ୍ତି ହେବା ଯୁକ୍ତିଯୁକ୍ତ ବୋଲି ସେ ଦାବି କରିଛନ୍ତି। ପୋଲିସ ପହଞ୍ଚି ମହିଳାମାନଙ୍କୁ ବୁଝାଶୁଝା କରିଥିଲେ।