ସିସିଟିଭି ଲାଗିଲା, ସୁବିଧା ମିଳିଲାନି

ରାଉରକେଲା,୮ା୯(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲାର ପ୍ରତ୍ୟେକ ଛକ ଓ ଜନଗହଳିପୂର୍ଣ୍ଣ ରାସ୍ତାମାନଙ୍କରେ (ସର୍ଭିଲାନ୍ସ ସିଷ୍ଟମ) ସିସିଟିଭି ଲଗାଇବା ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ସହରରେ ଟ୍ରାଫିକ ସୁପରିଚାଳନା, ଲାଲବତୀ ନିୟମ ପାଳନ ନ କରିବା, ଏମର୍ଜେନ୍ସି କଲ ବକ୍ସ ଓ ସହରବାସୀଙ୍କ ମୋବାଇଲ ଆପ୍‌ ନିୟନ୍ତ୍ରଣ, ଜନଗହଳି ନିୟନ୍ତ୍ରଣ କରାଯିବା ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ଏହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ଇନଷ୍ଟଲ୍‌ କରି ତୁରନ୍ତ ଚାଲୁ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି କ୍ରମରେ ଇସ୍ପାତ ସହରର କୋଏଲନଗର, ବାସନ୍ତୀ କଲୋନୀ, ଛେଣ୍ଡ, ସିଭିଲଟାଉନଶିପ୍‌ ସମେତ ୧୧୦ଟି ସ୍ଥାନରେ ୪୫୦ଟି ସିସିଟିଭି ଇନଷ୍ଟଲ୍‌ ମଧ୍ୟ କରାଗଲା। ୨୦୨୨ ଅଗଷ୍ଟ ୧୪ରେ ଏହାର ପରୀକ୍ଷଣ କରାଯାଇଥିଲା। ଏହା ମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ସହରରେ ଅପରାଧୀମାନଙ୍କ ଗତିବିଧି ବୃଦ୍ଧି ପାଇବା ଆଶଙ୍କା ରହିଛି। ସହରରେ ବେପରୁଆ ବାଇକ୍‌ ଚାଳନା, ଚୋରି, ଛିନ୍‌ତାଇ, ଗଣ୍ଡଗୋଳ ଆଦି ବୃଦ୍ଧି ପାଉଛି। କୋଏଲ ନଗରରେ ଆଇସିଆଇସିଆଇ ବ୍ୟାଙ୍କ ଛକ (ଯେଉଁଠାରେ ସିସିଟିଭି ପୋଷ୍ଟ ଅଛି) ନିକଟରେ ବେପରୁଆ ବାଇକ୍‌ ଚାଳନା ଯୋଗୁ ଏକ ସପ୍ତାହ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସିସିଟିଭି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲେ ଏପରି ପରିସ୍ଥିତି ଉପୁଜି ନ ଥାନ୍ତା ବୋଲି କୋଏଲନଗରର ଜଣେ ବରିଷ୍ଠ ନାଗରିକ ଗୋପାଳ ଦାସ କହିଛନ୍ତି। କୋଏଲନଗରର ଅନ୍ୟ ଜଣେ ବୟୋଜ୍ୟେଷ୍ଠ ସୀତାକାନ୍ତ ସ୍ବାଇଁ କହିଛନ୍ତି, ବରିଷ୍ଠ ନାଗରିକ ବିଶେଷ କରି ମହିଳାମାନେ ଫୁଲ ତୋଳିବା ଓ ମର୍ନିଂ ୱାକ୍‌ ସମୟରେ ଛିନ୍‌ତାଇର ଶିକାର ହେଉଛନ୍ତି। ଅନେକ କ୍ଷେତ୍ରରେ ଥାନାରେ ମାମଲା ରୁଜୁ ହେଉଥିବା ବେଳେ ପ୍ରମାଣ ଅଭାବରୁ ଲୋକମାନେ ଥାନାରେ ଏତଲା କରୁନାହାନ୍ତି। ଶୀଘ୍ର ସିସିଟିଭି କାର୍ଯ୍ୟକାରୀ ହେଲେ ସମସ୍ତେ ଉପକୃତ ହେବେ ବୋଲି ସ୍ବାଇଁ କହିଛନ୍ତି। ତେବେ ରାଉରକେଲା ପୋଲିସ ଜିଲାରେ ସମସ୍ତ ପ୍ରସ୍ତାବିତ ଅଞ୍ଚଳରେ ସିସିଟିଭି ଲାଗିବା ପ୍ରକ୍ରିୟା ଶେଷ ହୋଇଛି ବୋଲି ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଆର୍‌ଏମ୍‌ସି ଉପାୟୁକ୍ତ ସୁଧାଂଶୁ ଶେଖର ଭୋଇଙ୍କୁ ପଚାରିବାରୁ ସେ କହିଲେ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ଇନଷ୍ଟଲ ଶେଷ ହୋଇଛି। କମାଣ୍ଡ କଣ୍ଟ୍ରୋଲ ରୁମ୍‌ ନିର୍ମାଣ ପ୍ରକ୍ରିୟା ଜାରି ରହିଛି। ଏହା ଶେଷ ହେବା ପରେ ବ୍ୟବସ୍ଥା ଲାଗୁ କରାଯାଇପାରେ ବୋଲି ଭୋଇ କହିଥିଲେ।