ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ଫର୍ମୂଲା: ୧,୧୫୨ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ…

ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ତେବେ ଏହାର ଭାଲ୍ୟୁଏଶନ କିପରି କରାଯିବ ସେ ନେଇ ବିବାଦ ଦେଖାଦେଇଥିଲା। ସିବିଏସ୍‌ଇ ପକ୍ଷରୁ ଭାଲ୍ୟଏଶନ୍‌ ନେଇ ଫର୍ମୂଲା ଗୁରୁବାର ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିଲା। ତେବେ ଏହାକୁ ବିରୋଧ କରି ୧,୧୫୨ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତିି। କମ୍ପାର୍ଟମେଣ୍ଟ୍‌, ଦୀର୍ଘ ବର୍ଷ ଧରି ପାସ୍‌ ହେବା ଆଶାରେ ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ର, ପତ୍ର ମାଧ୍ୟମରେ ପଢୁଥିବା ଛାତ୍ରୀଛାତ୍ର, ଡ୍ରପ୍‌ ଆଉଟ୍‌ ଏବଂ ଫ୍ରାଇଭେଟ୍‌ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟ ଫର୍ମୂଲା ପ୍ରସ୍ତୁତି ଲାଗି ସୁପ୍ରିମ୍‌କୋର୍ଟରେ କରାଯାଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି। ମାର୍କିଂ ଫର୍ମୂଲା ଅନୁସାରେ ଦଶମ, ଏକାଦଶ ଏବଂ ଦ୍ୱାଦଶର ସ୍କୁଲ୍‌ ପରୀକ୍ଷା ମାର୍କ ଆଧାରରେ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ ହେବ। ଶିକ୍ଷାର୍ଥୀ ଦଶମରେ ରଖିଥିବା ମାର୍କର ୩୦ ପ୍ରତିଶତ, ଏକାଦଶର ୩୦ ପ୍ରତିଶତ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ୍‌ ପରୀକ୍ଷାରେ ରଖିଥିବା ୪୦ ପ୍ରତିଶତ ମାର୍କ ଆଧାରରେ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ କରାଯିବ ବୋଲି ସିବିଏସ୍‌ଇ ପକ୍ଷରୁ ଦାଖଲ କରାଯାଇଥିବା ଫର୍ମୂଲାରେ ଉଲ୍ଲେଖ କରାଯାଇଥିଲା। ଦ୍ୱାଦଶର ପ୍ରି ବୋର୍ଡ ପରୀକ୍ଷା ଏବଂ ପ୍ରାକ୍ଟିକାଲ ପରୀକ୍ଷା ମାର୍କକୁ ଗ୍ରହଣ କରାଯିବ। ଦଶମ ବୋର୍ଡ ପରୀକ୍ଷାର ୫ଟି ବିଷୟ ମଧ୍ୟରୁ ଶ୍ରେଷ୍ଠତମ ମାର୍କ ରହିଥିବା ୩ଟି ବିଷୟକୁ ଗ୍ରହଣ କରାଯିବ ବୋଲି ସିବିଏସ୍‌ଇ ପକ୍ଷରୁ ଭାଲ୍ୟୁଏଶନ୍‌ ଫର୍ମୂଲାରେ ଦର୍ଶାଯାଇଥିଲା। ଜୁଲାଇ ୩୧ରେ ସିବିଏସ୍‌ଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା।

Share