Categories: ଜାତୀୟ

ପ୍ରତ୍ୟେକ ମଲ୍ଟିପୁଲ୍‌ ଚଏସ୍‌ ପ୍ରଶ୍ନର ଉତ୍ତର ଦେବାକୁ ପଡିବ

ନୂଆଦିଲ୍ଲୀ, ୧୪।୧୧: ଆସନ୍ତା ୧୬ ତାରିଖରୁ ସିବିଏସ୍‌ଇ ଦ୍ୱାଦଶ ଏବଂ ୧୭ରୁ ଦଶମ ଶ୍ରେଣୀ ପ୍ରଥମ ଅବଧି (ଫାଷ୍ଟ ଟର୍ମ) ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ନୂଆ ଢାଞ୍ଚାରେ ହେବାକୁ ଥିବା ଏହି ପରୀକ୍ଷାରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ପିଲା ଭାଗନେବେ। ଦ୍ୱିତୀୟ ଅବଧି ପରୀକ୍ଷା ଆସନ୍ତାବର୍ଷ ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି।
ସିବିଏସ୍‌ଇ ସୂଚନା ଅନୁଯାୟୀ, ଏଥର ପିଲାମାନଙ୍କୁ ପ୍ରଶ୍ନପତ୍ର ପଢ଼ିବା ପାଇଁ ୧୫ ମିନିଟ ପରିବର୍ତ୍ତେ ୨୦ ମିନିଟ ସମୟ ଦିଆଯିବ। ଫାଷ୍ଟ ଟର୍ମରେ କେବଳ ମଲ୍ଟିପୁଲ୍‌ ଚଏସ୍‌ ପ୍ରଶ୍ନ ଆସିବ ଓ ଏହାର ସମାଧାନ ପାଇଁ ୯୦ ମିନିଟ ସମୟ ଦିଆଯିବ। ପ୍ରତି ପ୍ରଶ୍ନ ପାଇଁ ୪ଟି ବିକଳ୍ପ ମଧ୍ୟରୁ ପିଲା ଠିକ୍‌ ଉତ୍ତର ବାଛି ସେଥିରେ ଗୋଲ ବୁଲାଇବେ। ପ୍ରତ୍ୟେକ ଉତ୍ତର ପତ୍ର ସ୍କାନ୍‌ ହେବ, ତେଣୁ କୌଣସି ପ୍ରଶ୍ନକୁ ନ ଛାଡ଼ିବାକୁ କୁହାଯାଇଛି। ପିଲା ଉତ୍ତର ଦେବାକୁ ଚାହୁଁ ନ ଥିଲେ ମଧ୍ୟ ଯେକୌଣସି ବିକଳ୍ପରେ ଗୋଲ ବୁଲାଇବାକୁ ପଡିବ। ଦଶମ ପିଲାଙ୍କ ପାଇଁ ଇଣ୍ଟରନାଲ ଆସେସ୍‌ମେଣ୍ଟ ନମ୍ବରକୁ ୧୦-୧୦ ଦୁଇଭାଗରେ ବିଭକ୍ତ କରାଯାଇଥିଲା ବେଳେ ଦ୍ୱାଦଶ ପିଲାଙ୍କ ପାଇଁ ୨ ପର୍ଯ୍ୟାୟରେ ୧୫ ନମ୍ବର ଲେଖାଏ ଆସେସ୍‌ମେଣ୍ଟ ପରୀକ୍ଷା ହେବ। କୋଭିଡ୍‌ କଟକଣା ଯୋଗୁ କୌଣସି ପରୀକ୍ଷା କେନ୍ଦ୍ରରେ ୩୫୦ରୁ ଅଧିକ ପିଲା ପରୀକ୍ଷା ଦେବେନାହିଁ ଏବଂ ପିଲାଙ୍କ ମଧ୍ୟରେ ୬ ଫୁଟ ବ୍ୟବଧାନ ରକ୍ଷା କରାଯିବ। ପରୀକ୍ଷାର୍ଥୀ ଓ ପରୀକ୍ଷକ ଉଭୟ ମାସ୍କ ପିନ୍ଧିବେ। ନଭେମ୍ବର ୧୬/୧୭ରୁ କମ୍‌ ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ଡିସେମ୍ବର ୧ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ପରୀକ୍ଷା ହେବ।

Share