ସିବିଏସ୍‌ଇ-ଆଇସିଏସ୍‌ଇ ଟର୍ମ-୧ ବୋର୍ଡ ପରୀକ୍ଷା ହାଇବ୍ରିଡ୍‌ ମୋଡ୍‌ରେ ହେବ ନାହିଁ , ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୧୮।୧୧: ସିବିଏସ୍‌ଇ-ଆଇସିଏସ୍‌ଇ ଟର୍ମ-୧ ବୋର୍ଡ ପରୀକ୍ଷା ହାଇବ୍ରିଡ୍‌ ମୋଡ୍‌ରେ ହେବ ନାହିଁ ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ହାଇବ୍ରିଡ୍‌ ମୋଡ୍‌ରେ କରିବାକୁ କେତେକ ଛାତ୍ର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ଏ.ଏମ୍‌. ଖାନଓ୍ବିଲକର ଏବଂ ସିଟି ରବିକୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି ଆବେଦନକୁ ଖାରଜ କରିଛନ୍ତି।

ସରକାରଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ସମ୍ମୁଖରେ ଉପସ୍ଥିତ ଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, କରୋନା ମାର୍ଗଦର୍ଶିକା ପାଳନ କରାଯାଇ ବୋର୍ଡ ପରୀକ୍ଷା ଅନୁଷ୍ଠିତ କରାଯିବା ଲାଗିସମସ୍ତ ପ୍ରସ୍ତୁତି ହୋଇଛି। ସେହିପରି ପରୀକ୍ଷା କେନ୍ଦ୍ର ସଂଖ୍ୟାକୁ ୬,୫୦୦ରୁ ୧୫,୦୦୦କୁ ବୃଦ୍ଧି କରାଯାଇଛି।

ଗୋଟିଏ କେନ୍ଦ୍ରରେ ୧୨ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇ ପାରିବେ। ପୂର୍ବରୁ ଏହୀ କ୍ଷମତା ୪୦ ଥିଲା। ସେହିପରି ପରୀକ୍ଷା ସମୟ ସୀମା ୩ ଘଣ୍ଟାରୁ ୯୦ ମିନିଟ୍‌କୁ କମାଇ ଦିଆଯାଇଥିବା ସୋଲିସିଟର ଜେନେରାଲ କହିଛନ୍ତି।

୩୪ ଲକ୍ଷ ସିବିଏସ୍‌ଇ-ଆଇସିଏସ୍‌ଇ ପରୀକ୍ଷାର୍ଥୀ ଟର୍ମ-୧ ବୋର୍ଡ ପରୀକ୍ଷା ଦେବେ। ଏନେଇ ପ୍ରସ୍ତୁତି ଶେଷ ହୋଇଥିବା ସୋଲିସିଟର ଜେନେରାଲ ପ୍ରକାଶ କରିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ଆଇଜନୀବୀ ସଞ୍ଜୟ ହେଗ୍‌ଡେ ଯୁକ୍ତି କରିଥିଲେ ଯେ, କରୋନା ସଂକ୍ରମଣ ଏବେ ମଧ୍‌ୟ ଜାରି ରହିଛି। ଏପରିସ୍ଥଳେ ପିଲାଙ୍କୁ ହାଇବ୍ରିଡ୍‌ ମୋଡ୍‌ରେ ପରୀକ୍ଷା ଦେବାକୁ ଅନୁମତି ମିଳୁ। ଭିଡ଼ ହେଉଥିବା ସ୍ଥାନରେ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଛି। ମହାମାରୀ ସଙ୍କଟ ସମୟରେ ଅଫ୍‌ ଲାଇନ୍‌ରେ ପରୀକ୍ଷା ଲାଗି ସ୍ବୀକୃତି ଦେବା ଠିକ୍‌ ନୁହେଁ ବୋଲି ସେ କହିଥିଲେ। ଗତ ବର୍ଷ ପରୀକ୍ଷା ଅନ୍‌ ଲାଇନ୍‌ରେ କରାଯାଇଥିଲା। ତେଣୁ ସ୍ଥିତି ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ହାଇବ୍ରିଡ୍‌ ମୋଡ୍‌ରେ ପରୀକ୍ଷା କରାଯିବା ଉଚିତ ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ। ଯେହେତୁ ପରୀକ୍ଷା ଏମ୍‌ସିକ୍ୟୁ ହେଉଛି, ତେଣୁୁ ଅନ୍‌ ଲାଇନ୍‌ରେ ବିକଳ୍ପ ଦିଆଯିବା ଆବଶ୍ୟକ।

ବିଚାରପତି ଖାନଓ୍ବିଲକର କହିଥିଲେ ଯେ, ଅକ୍ଟୋବର ୧୪ରେ ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ନଭେମ୍ବର ୫ରେ ସିବିଏସ୍‌ଇ-ଆଇସିଏସ୍‌ଇ ଟର୍ମ-୧ ବୋର୍ଡ ପରୀକ୍ଷା ହାଇବ୍ରିଡ୍‌ ମୋଡ୍‌ରେ କରିବା ଲାଗି ଆବେଦନ ନଭେମ୍ବର ୫ରେ ବିଚାର ପାଇଁ ତାଲିକାଭୁକ୍ତ ହୋଇଥିଲା। ପରେ ନଭେମ୍ବର ୧୫ରେ ପୋଷ୍ଟିଂ କରାଯାଇଥିଲା। ପରୀକ୍ଷା ପାଇଁ ପ୍ରସ୍ତୁତି ସରିଥିବା ବେଳେ ଶେଷ ମୁହୂର୍ତ୍ତରେ କୌଣସି ଅଦଳବଦଳ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

Share