Categories: ଜାତୀୟ

ବୁଧବାରଠାରୁ ସିବିଏସଇ ଦ୍ୱାଦଶ-ଦଶମ ବୋର୍ଡ ପରୀକ୍ଷା…

ନୂଆଦିଲ୍ଲୀ,୧୪।୨ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଚଳିତ ବର୍ଷ ଫେବୃଆରୀ ୧୫ ବୁଧବାରଠାରୁ ଆରମ୍ଭ ହେବ। ବୋର୍ଡ ପରୀକ୍ଷା ୫ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ୩୮ ଲକ୍ଷ ୮୩ ହଜାର ୭୧୦ ଛାତ୍ରୀଛାତ୍ର ବୋର୍ଡ ପରୀକ୍ଷା ଦେବେ। ବୋର୍ଡ ପରୀକ୍ଷା ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ ଟା ୩୦ ପର୍ଯ୍ୟନ୍ତ କରାଯିବ।

୨୧ ଲକ୍ଷ ୮୬ ହଜାର ୯୪୦ ଛାତ୍ରୀଛାତ୍ର ଦଶମ ପରୀକ୍ଷା ଦେବେ। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୧୬ ଲକ୍ଷ ୯୬ ହଜାର ୭୭୦ ଛାତ୍ରୀଛାତ୍ର ଦେବେ। ଦେଶ ତଥା ବିଦେଶରେ ବୋର୍ଡ ପରୀକ୍ଷା ପାଇଁ ସିବିଏସଇ ଦ୍ୱାରା ୭ ହଜାର ୨୫୦ ରୁ ଅଧିକ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଦଶମ ଶ୍ରେଣୀ ପରୀକ୍ଷା ୧୬ ଦିନରେ ଶେଷ ହେବ। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶେଷ ହେବାକୁ ୩୬ ଦିନ ଲାଗିବ ।

ବିଜ୍ଞପ୍ତି ଅନୁଯାୟୀ ୭୬ ଟି ବିଷୟ ପାଇଁ ଦଶମ ଶ୍ରେଣୀ ପରୀକ୍ଷା ଏବଂ ମୋଟ ୧୧୫ ଟି ବିଷୟ ପାଇଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଯିବ। ଦଶମ ଶ୍ରେଣୀ ପରୀକ୍ଷା ପାଇଁ ମୋଟ ୭୨୪୦ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ବୋଲି ବୋର୍ଡ କହିଛି। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୬୭୫୯ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଛାତ୍ରଙ୍କ ସଂଖ୍ୟା ୧୨ ଲକ୍ଷ ୪୭ ହଜାର ୩୬୪ ଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୯ ଲକ୍ଷ ୩୮ ହଜାର ୫୬୬ ରହିଛି। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଛାତ୍ରଙ୍କ ସଂଖ୍ୟା ୯ ଲକ୍ଷ ୫୧ ହଜାର ୩୩୨ ଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୭ ଲକ୍ଷ ୪୫ ହଜାର ୪୩୩ ରହିଛି।

ପରୀକ୍ଷାରେ ତୃତୀୟ ଲିଙ୍ଗଙ୍କ ସଂଖ୍ୟା ଦଶମ ଶ୍ରେଣୀ ପାଇଁ ୧୦ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ୫ ରହିଛି।

Share