Categories: ଜାତୀୟ

ଏଫ୍‌ବିୟୁ ଦୁର୍ନୀତି ମାମଲା: ମନୀଷ ସିସୋଡିଆଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ,୧୬।୩: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ମନ୍ତ୍ରୀ ମନୀଷ ସିସୋଡିଆଙ୍କ ପାଇଁ ପୁଣି ଅଡୁଆ ବଢିଲା। ଦିଲ୍ଲୀ ସରକାରଙ୍କ ଫିଡ୍‌ବ୍ୟାକ୍‌ ୟୁନିଟ୍‌ (ଏଫ୍‌ବିୟୁ) ଦୁର୍ନୀତି ମାମଲାରେ ମନୀଷ ସିସୋଡିଆଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଛି।

ଏହି ମାମଲାରେ ସିବିଆଇ ନଭେମ୍ବର ୨୦୧୬ରେ ଏକ ଏଫଆଇଆର୍‌ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ୟୁନିଟ୍‌ ଗଠନରେ ଦୁର୍ନୀତି ହୋଇଥିବା ଜାଣିବାକୁ ପାଇଥିଲା। ଦିଲ୍ଲୀ ସରକାରଙ୍କ ତତ୍କାଳୀନ ଡେପୁଟି ସେକ୍ରେଟାରୀ ଭିଜିଲାନ୍ସ କେ.ଏସ ମୀନାଙ୍କ ଅଭିଯୋଗ ଉପରେ ସିବିଆଇ ଏହି ଅନୁସନ୍ଧାନ ଆରମ୍ଭ କରିଥିଲା।

ଦିଲ୍ଲୀ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦୁର୍ନୀତି ଏବଂ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଫେବୃୟାରୀ ୨୦୧୬ରେ ଦିଲ୍ଲୀ ସରକାର ଫିଡ୍‌ବ୍ୟାକ୍‌ ୟୁନିଟ୍‌ ଗଠନ କରିଥିଲେ। ଏଥିପାଇଁ ୨୯ ସେପ୍ଟେମ୍ବର ୨୦୧୫ରେ ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ବୈଠକରେ ଏଫ୍‌ବିୟୁ ଗଠନକୁ ଅନୁମୋଦନ କରାଯାଇଥିଲା। ତେବେ ଉକ୍ତ ପ୍ରୋଜେକ୍ଟ ପାଇଁ ଆବଣ୍ଟନ ହୋଇଥିବା ପାଣ୍ଠି ଆପ ସରକାରଙ୍କ ଦ୍ବାରା ହଡପ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।

Share