Categories: ଜାତୀୟ

ସିବିଆଇର ହୋଇଛି ଭାଜପାକରଣ, ମାଲିକ ଯାହା ଚାହୁଁଛନ୍ତି ତାହା ହେଉଛି, ସିବଲଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ, ୨୦।୮ : ରାଜ୍ୟ ସଭା ଏମ୍‌ପି କପିଲ ସିବଲ ଶନିବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପତଞ୍ଜରା ମଧ୍ୟରେ ଥିବା ଶୁଆ ଏବେ ମୁକ୍ତ ହୋଇଛି। ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଗୁରୁବାର ଦିନ ଦିଲ୍ଲୀ ଏକ୍ସାଇଜ ପଲିସି ସମ୍ପର୍କରେ ଡେପୁଟି ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନରେ ସିବିଆଇ ଚଢ଼ାଉ କରିଥିଲା।
ଏନେଇ ସିବଲ ଟୁଇଟ କରି କହିଛନ୍ତି, ପିଞ୍ଜରାରେ ଥିବା ସିବିଆଇ ଏବେ ଶୁଆ ପରି ବାହାରକୁ ଆସିଛି। ତେବେ ଏହାର ଭାଜପାକରଣ ହୋଇଯାଇଛି। ଏଥିସହିତ ସିବଲ ସିବିଆଇର ଡେଣା ବୋଲି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ମଧ୍ୟ କହିଛନ୍ତି। ସେ ଲେଖିଛନ୍ତି, ମାଲିକ ଯାହା କୁହନ୍ତି, ଶୁଆ ସେଭଳି କରୁଛି।

ଶୁକ୍ରବାର ଆମ ଆଦମୀ ପାର୍ଟିର ନେତାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ସିବଲ ପ୍ରଶ୍ନ ଉଠାଇଛନ୍ତି।
ଶୁକ୍ରବାର ସିସୋଦିଆଙ୍କ ବାସଭବନରେ କରାଯାଇଥିବା ସିବିଆଇ ତଦନ୍ତ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ଅନୁସନ୍ଧାନକାରୀ ସଂସ୍ଥା ତାଙ୍କ କମ୍ପ୍ୟୁଟର ଏବଂ ମୋବାଇଲ ଫୋନ ନେଇଛି ବୋଲି ଏଏପି ନେତା କହିଛନ୍ତି। ସେହିପରି ସଞ୍ଜୟ ସିଂ, ରାଘବ ଚଢ଼ାଙ୍କ ସମେତ ବଡ ଏଏପି ନେତାମାନଙ୍କୁ ସରକାର ଟାର୍ଗେଟ କରିଥିବା ସିବଲ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ଦିଲ୍ଲୀର ବିକାଶ ମଡେଲକୁ ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି।

ସିସୋଦିଆଙ୍କ ବାସଭବନରେ ଚାଲିଥିବା ଚଢ଼ାଉ ସମ୍ପର୍କରେ ସିବଲ ଟୁଇଟ କରି କହିଛନ୍ତି ଯେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ ଭାଜପା ଏଏପିକୁ ଅସ୍ଥିର କରିବା ଲାଗି ଏଭଳି କରୁଛି। ଏଥି ସହ ସେ ସିବିଆଇ ଏବଂ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ସରକାରଙ୍କ ହାତରେ ଥିବା କହିଛନ୍ତି। ଏହି ଟୁଇଟରେ ସେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଅର୍ଥ ହେରଫେର ମାମଲାରେ ଇଡି ଜୈନଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ୨୦୧୩ ରେ କୋଇଲା ଆବଣ୍ଟନ ମାମଲାର ଶୁଣାଣି ସମୟରେ ଜଷ୍ଟିସ ଆରଏମ ଲୋଧା ପଞ୍ଜୁରୀର ଶୁଆ ବିଷୟରେ କହିଥିଲେ। ଏଥିସହିତ ସେ ଶୁଆକୁ ମୁକ୍ତ କରିବାକୁ କେତେ ସମୟ ଲାଗିବ ବୋଲି ସେ ପ୍ରଶ୍ନ କରିଥିଲେ। ନିକଟରେ ସିବଲ ସର୍ବୋଚ୍ଚ ନ୍ୟାୟାଳୟର କାର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

Share