Categories: ଜାତୀୟ

ସିସୋଡିଆଙ୍କ ସମେତ ୧୫ଜଣଙ୍କ ବିରୋଧରେ ଏଫ୍‌ଆଇଆର

ନୂଆଦିଲ୍ଲୀ,୧୯।୮: ଏକ୍ସାଇଜ ସ୍କାମ ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏହି ମାମଲାରେ ସିବିଆଇ ୧୫ଜଣଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଛି। ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ସିସୋଡିଆ ରହିଥିବା ଜଣାପଡ଼ିଛି। ଏଥିରେ କେତେକ ମଦ କମ୍ପାନୀଙ୍କ ନାମ ମଧ୍ୟ ସାମିଲ ଅଛି। ସିବିଆଇ ଅନୁଯାୟୀ, ସିସୋଡିଆଙ୍କ ବିରୋଧରେ ଷଡ଼ଯନ୍ତ୍ର ଓ ବ୍ୟାଙ୍କ ଆକାଉଣ୍ଟରେ ହେରଫେର କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳୁ ଦୀର୍ଘ ୯ଘଣ୍ଟା ଧରି ମନୀଷ ସିସୋଡିଆଙ୍କ ବାସଭବନରେ ସିବିଆଇ ଚଢ଼ାଉ କରିଥିଲା। ଏଥିସହ କେତେକ ସରକାରୀ କର୍ମଚାରୀଙ୍କ ବାସଭବନରେ ମଧ୍ୟ ଏହି ଚଢ଼ାଉ କରାଯାଇଥିଲା। କେବଳ ଏତିକି ନୁହେଁ, ସିସୋଡିଆଙ୍କ ଗାଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଛି। ଉକ୍ତ ଗାଡ଼ିରୁ କିଛି ଆବଶ୍ୟକୀୟ କାଗଜପତ୍ର ମିଳିପାରେ ବୋଲି କୁହାଯାଉଛି। ଅନ୍ୟପଟେ ଚଢ଼ାଉ ସମୟରେ ଯାଞ୍ଚ ଏଜେନ୍ସିକୁ ଏକ୍ସାଇଜ ଡ୍ୟୁଟି ସହ ଜଡ଼ିତ କିଛି ଗୋପନୀୟ କାଗଜପତ୍ର ମିଳିଛି। ଏହି କାଗଜପତ୍ର କୌଣସି ସରକାରୀ ଅଧିକାରୀଙ୍କ ଘରେ ରହିବା ଉଚିତ୍‌ ନୁହେଁ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି।

Share