Categories: ଜାତୀୟ

ସତ୍ୟପାଲଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ସିବିଆଇ ଚଢାଉ

ଶ୍ରୀନଗର,୧୭।୫: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପୂର୍ବତନ ମିଡିଆ ପରାମର୍ଶଦାତା ସୁନକ ବାଲିଙ୍କ ଘରେ ସିବିଆଇ ଚଢାଉ କରିଛି। ସତ୍ୟପାଲଙ୍କ ଅଭିଯୋଗ ଉପରେ ପଞ୍ଜୀକୃତ ହୋଇଥିବା ବୀମା ସ୍କାମ ମାମଲାରେ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି। କିଛି ଦିନ ପୂର୍ବରୁ ସତ୍ୟପାଲ ମଲିକଙ୍କ ବିବୃତ୍ତି ମଧ୍ୟ ସିବିଆଇ ରେକର୍ଡ କରିଥିଲା।

୨୦୧୮ ସେପ୍ଟେମ୍ବରରେ ସତ୍ୟପାଲ ମଲିକ ଜମ୍ମୁ-କଶ୍ମୀର ରାଜ୍ୟପାଳ ଥିବାବେଳେ ରାଜ୍ୟର ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଏକ ମେଡିକାଲ ବୀମା ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଉକ୍ତ ସ୍କିମ୍‌ରେ ୩.୫ ଲକ୍ଷ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା। ତେବେ ସତ୍ୟପାଲ ଏଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ରିଲାଏନ୍ସ ଜେନେରାଲ ଇନ୍ସ୍ୟୁରାନ୍ସ ସହ ହୋଇଥିବା କଣ୍ଟ୍ରାକ୍ଟକୁ ମାସକ ଭିତରେ ରଦ୍ଦ କରିଦେଇଥିଲେ। ସେତେବେଳେ ସେ କହିଥିଲେ, ମେଡିକାଲ ବୀମା ଯୋଜନାରେ ଜାଲିଆତି ହୋଇଥିବା ଜଣାପଡ଼ିବା ପରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା କର୍ମଚାରୀମାନେ ଏହି କଣ୍ଟ୍ରାକ୍ଟ ରଦ୍ଦ ହେଉ ବୋଲି ଚାହୁଁଛନ୍ତି। ଫାଇଲରେ ଥିବା ବିବରଣୀ ଅନୁଧ୍ୟାନ ପରେ ସେ ମଧ୍ୟ ସମାନ ନିଷ୍କର୍ଷରେ ପହଞ୍ଚିଛନ୍ତି। ଭୁଲ୍‌ରେ ଦିଆଯାଇଥିବା ଠିକାକୁ ରଦ୍ଦ କରିଦେଇଥିବା ସତ୍ୟପାଲ କହିଥିଲେ। ସତ୍ୟପାଲଙ୍କ ଅଭିଯୋଗକ୍ରମେ ସିବିଆଇ ଗତବର୍ଷ ଏପ୍ରିଲରେ ୨ଟି ଏଫଆଇଆର୍‌ ରୁଜୁ କରିଥିଲା।

Share