Categories: ଜାତୀୟ

ସିବିଆଇକୁ ମିଳୁ ସ୍ବୟଂକ୍ରିୟ କ୍ଷମତା

ଚେନ୍ନାଇ, ୧୯।୮(ଆଇଏଏନ୍‌ଏସ୍‌): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ପିଞ୍ଜରାବଦ୍ଧ ଶୁଆ ନ କରି ଏହାକୁ ମୁକ୍ତ କରିବା ବା ସ୍ବୟଂକ୍ରିୟ କ୍ଷମତା ଦେବା ପାଇଁ ମାଡ୍ରାସ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଫାଇନାନ୍ସ କମ୍ପାନୀର ଠକେଇ ମାମଲାର ତଦନ୍ତ ତାମିଲନାଡୁ ପୋଲିସ କରୁଥିବାବେଳେ ଏହାକୁ ସିବିଆଇକୁ ହସ୍ତାନ୍ତର କରିବା ଲାଗି ମାଡ୍ରାସ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା। ମଙ୍ଗଳବାର ହାଇକୋର୍ଟ ଏହାର ଶୁଣାଣି କରିବା ଅବସରରେ କହିଥିଲେ, କେବଳ ସିବିଆଇକୁ ବୈଧାନିକ ମାନ୍ୟତା ଦିଆଗଲେ, ଏହାର ସ୍ବୟଂକ୍ରିୟ କ୍ଷମତା ସୁନିଶ୍ଚିତ ହୋଇପାରିବ। ଦ୍ୱିତୀୟରେ ସିବିଆଇ ଅଫିସରମାନଙ୍କୁ ଡେପୁଟେଶନରେ ନ ଆଣି ଏହାର ନିଜସ୍ବ ଉତ୍ସର୍ଗୀକୃତ ଅଫିସର କ୍ୟାଡର ରହିବା ଆବଶ୍ୟକ। ଭାରତର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଯେପରି କେବଳ ପାର୍ଲାମେଣ୍ଟ ନିକଟରେ ଉତ୍ତରଦାୟୀ, ସିବିଆଇକୁ ସେହିଭଳି ସ୍ବୟଂକ୍ରିୟ କ୍ଷମତା ମିଳିବା ଆବଶ୍ୟକ ବୋଲି ଅଦାଲତ କହିଥିଲେ। ଭାରତ ସରକାରଙ୍କ ସଚିବମାନଙ୍କ ଏକ୍ସ-ଅଫିସିଓ କ୍ଷମତା ଭଳି ସିବିଆଇ ନିର୍ଦ୍ଦେଶକଙ୍କୁ ସିଧାସଳଖ ମନ୍ତ୍ରଣାଳୟ ନିକଟରେ ରିପୋର୍ଟିଂ କରିବା କ୍ଷମତା ମିଳିବା ସପକ୍ଷରେ ହାଇକୋର୍ଟ କହିଥିଲେ। ରାଜ୍ୟଗୁଡ଼ିକର ସହମତି ବିନା କୌଣସି ମାମଲାର ତଦନ୍ତ ସୁପ୍ରିମକୋର୍ଟ ଓ ହାଇକୋର୍ଟଗୁଡ଼ିକ ସିବିଆଇ ଉପରେ ନ୍ୟସ୍ତ କରୁଛନ୍ତି। ତେଣୁ ସିବିଆଇକୁ ପୂର୍ବାପେକ୍ଷା ଅଧିକ କ୍ଷମତା ଓ ତଦନ୍ତ ଅଧିକାର କ୍ଷେତ୍ର ଦେବା ପାଇଁ ସରକାର ସ୍ବତନ୍ତ୍ର ଆଇନ ଆଣିବାକୁ ନିଷ୍ପତ୍ତି ନିଅନ୍ତୁ ବୋଲି ଅଦାଲତ କହିଥିଲେ। ନିର୍ବାଚନ କମିଶନ ଏବଂ ସିଏଜିଙ୍କ ଭଳି ସିବିଆଇକୁ ଅଧିକ ସ୍ବାଧୀନତା ଓ ଅଲଗା ବଜେଟ ମଞ୍ଜୁର ହେବା ଆବଶ୍ୟକ ବୋଲି ହାଇକୋର୍ଟ ମତ ଦେଇଥିଲେ।

Share