Categories: ଜାତୀୟ

ରାଜନୈତିକ ଅସ୍ତ୍ର ଭାବେ ବ୍ୟବହୃତ ହେଉଛି ସିବିଆଇ, ତେଜସ୍ବୀଙ୍କ ସମାଲୋଚନା…

ପାଟନା, ୩୧।୮ : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଗୁରୁବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସିବିଆଇକୁ ଏକ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି। ସେ ଟୁଇଟ କରି ଲେଖିଛନ୍ତି ଯେ ଏଜେନ୍ସିର ଅଧିକାରୀଙ୍କ ପ୍ରତି ଆମର କୌଣସି ବିରୋଧ ନାହିଁ କି କେବେ ନଥିଲା ମଧ୍ୟ। ଆମେ ଜାଣୁ ଯେ ସେମାନେ କେବଳ ଆଦେଶ ପାଳନ କରୁଛନ୍ତି । କିନ୍ତୁ ଆମେ ରାଜନୈତିକ ଅସ୍ତ୍ର ଭାବରେ ସିବିଆଇର ବ୍ୟବହାରକୁ ବିରୋଧ କରିବୁ। ଆମର ଏକ ନ୍ୟାୟପ୍ରିୟ ସମାଜବାଦୀ ସରକାର ଅଛନ୍ତି। ସରକାର ସମ୍ବିଧାନକୁ ପାଳନ କରନ୍ତି। ଆମ ରାଜ୍ୟରେ ସମସ୍ତେ ସୁରକ୍ଷିତ ଅଛନ୍ତି ।

ଅନ୍ୟ ଏକ ଟୁଇଟରେ ସେ ଲେଖିଛନ୍ତି ଯେ ଗତ ୮ବର୍ଷ ମଧ୍ୟରେ ଅନେକ ବିରୋଧୀଦଳ ନେତାଙ୍କ ବିରୋଧରେ ଏହି ଆଇଟି, ଇଡି ଏବଂ ସିବିଆଇ ମାଧ୍ୟମରେ ଚଢ଼ାଉ କରାଯାଇଛି। ଅନେକ ଅଭିଯୋଗ କରାଯାଇଥିଲା, ପରିଚିତ ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରାଯାଇଥିଲା।

କିନ୍ତୁ ସେହି ଦୁର୍ନୀତିଗ୍ରସ୍ତ ବିରୋଧୀ ଦଳର ନେତାମାନେ ଭାଜପାରେ ଯୋଗଦେବା ମାତ୍ରେ ସେମାନଙ୍କୁ ଶୁଦ୍ଧତା ପ୍ରମାଣପତ୍ର ମିଳିଥିଲା। କେହି କେହି ମନ୍ତ୍ରୀ ହେଲେ ଆଉ କେହି ମୁଖ୍ୟମନ୍ତ୍ରୀ ବି ହେଲେ।

ସେ ଆଉ ଏକ ଟୁଇଟରେ ଲେଖିଛନ୍ତି ଯେ ଯାଞ୍ଚ୍‌କାରୀ ସଂସ୍ଥା ବିରୋଧୀ ଶାସିତ ରାଜ୍ୟ ତଥା ଏହାର ନେତାଙ୍କ ଉପରେଚଢ଼ାଉ କରି ସେମାନଙ୍କ ରାଜନୈତିକ ମାଲିକମାନଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି।

ଆଜି ପର୍ଯ୍ୟନ୍ତ ଏହି ଏଜେନ୍ସିଗୁଡିକ ଦ୍ୱାରା ଭାଜପାର ୩୦୦ରୁ ଅଧିକ ଏମ୍‌ପି ଏବଂ ୧୦୦୦ ରୁ ଅଧିକ ବିଧାୟକଙ୍କ ବିରୋଧରେ କୌଣସି ଚଢ଼ାଉ ହୋଇ ନାହିଁ। ସେଥିପାଇଁ ଆମେ ଏଜେନ୍ସିଙ୍କର ରାଜନୈତିକ ଚରିତ୍ରକୁ ବିରୋଧ କରୁଛୁ।

ଆଠ ବର୍ଷ ପୂର୍ବେ ଦେଶବାସୀ ଏଜେନ୍ସିଙ୍କ ଅଖଣ୍ଡତା ଏବଂ କାର୍ଯ୍ୟକଳାପ ଉପରେ ଏପରି ପ୍ରଶ୍ନ ଉଠାଇ ନଥିଲେ। ଏଭଳି ଏଜେନ୍ସିଙ୍କୁ ଆମେ ବିରୋଧ କରୁନାହୁଁ। କିନ୍ତୁ ସେମାନଙ୍କର ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟକଳାପକୁ ଆମେ ବିରୋଧ କରୁଛୁ।

Share