ସିବିଆଇ ତଦନ୍ତ, ୫୦ ଲକ୍ଷ କ୍ଷତିପୂରଣ ଦାବି

କଟକ ଅଫିସ,୫। ୧୦: ବରଗଡ଼ ଟାଉନ ଥାନା ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ସହ ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବା ଦାବି ନେଇ ସୋମବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଆବେଦନ କରାଯାଇଛି। ମୃତକ ଗୋବିନ୍ଦ କୁମ୍ଭାରଙ୍କୁ ଗତ ସେପ୍ଟେମ୍ବର ୨୪ ତାରିଖ ରାତିରେ ଉଠାଇ ନେଇଥିବା ଟାଉନ ଥାନା ଏସ୍‌ଆଇ ମଙ୍ଗଳ କିସୋ, ଏଏସ୍‌ଆଇ ପିତାମ୍ବର ବେହେରା, କ୍ଷୀରୋଦ ବିଶ୍ୱାଳ, ଜଗବନ୍ଧୁ ଜଗଦଳା ଏବଂ ଅନ୍ୟମାନଙ୍କ ବିରୋଧରେ ହତ୍ୟା ମାମଲା (୩୦୨ ଦଫା) ରୁଜୁ ଲାଗି ନିର୍ଦ୍ଦେଶ ଦେବାକୁ ଏଥିରେ ପ୍ରାର୍ଥନା କରାଯାଇଛି। ଏହି ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ ଡିଜି, ବରଗଡ଼ ଏସ୍‌ପି ଏବଂ ବରଗଡ଼ ଟାଉନ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି। ପିଟିଶନରେ ଦର୍ଶାଯାଇଛି ଯେ, ଗତ ଜୁଲାଇରେ ବରଗଡ଼ ଟାଉନ ଥାନା ଅଧୀନ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାର ଓ ଅନ୍ୟ ୪ଜଣଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ନେଇ ମାମଲା ରୁଜୁ ହୋଇଥିଲା। ଗୋବିନ୍ଦଙ୍କୁ ଜାମିନ ମିଳି ନ ଥିବାବେଳେ ଅନ୍ୟ ୪ଜଣଙ୍କୁ ୪୧ ଏ-ସିଆର୍‌ପିସିରେ ପୋଲିସ ଜାମିନ ଦେଇଥିଲା। ପରେ ୨୪ ତାରିଖ ରାତିରେ ଉପରୋକ୍ତ ପୋଲିସ କର୍ମଚାରୀମାନେ ତାଙ୍କୁ ଉଠାଇ ନେଇଥିଲେ। ଯାହାକି ପୋଲିସକୁ ସନ୍ଦେହ ଘେରକୁ ଟାଣିନେଉଛି। ୨୫ତାରିଖ ସକାଳେ ପରିବାର ଲୋକେ ଥାନାକୁ ଯାଇ ପଚାରିବାରୁ ଛାତି ବ୍ୟଥା ଓ ବାନ୍ତି ଯୋଗୁ ଗୋବିନ୍ଦଙ୍କୁ ଖେଡ଼ାପଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଇଥିଲା। ସେମାନେ ହସ୍ପିଟାଲକୁ ଯାଇ ଗୋବିନ୍ଦଙ୍କୁ ମୃତାବସ୍ଥାରେ ଦେଖିବାକୁ ପାଇଥିଲେ। ଗୋବିନ୍ଦଙ୍କ ପିଠି, ପେଟ ପ୍ରଭୃତି ବିଭିନ୍ନ ସ୍ଥାନରେ ମାଡ଼ ଚିହ୍ନ ରହିଥିଲା। ଏନେଇ ତାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯିବା ପରେ ଥାନା ସିସିଟିଭିକୁ ଜାଣିଶୁଣି ଅଚଳ କରିଦିଆଯାଇଥିବା ପିଟିଶନରେ ଉଲ୍ଲେଖ ରହିଛି।