Categories: ଜାତୀୟ

ରାମପୁରହାଟରେ ସିବିଆଇ ତନାଘନା

କୋଲକାତା,୨୬ା୩: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଫରେନ୍‌ସିକ୍‌ ଟିମ୍‌ ଶୁକ୍ରବାର କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମବଙ୍ଗର ବୀରଭୂମ ଜିଲା ରାମପୁରହାଟ ଗୃହଦାହ ମାମଲାର ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ଏହାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରାଯାଇଥିଲା। କିନ୍ତୁ ହାଇକୋର୍ଟ ଏସ୍‌ଆଇଟିର ଯାଞ୍ଚକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ସିବିଆଇକୁ ଏହାର ତଦନ୍ତ ଭାର ଦେଇଛନ୍ତି। ଏଥିସହ ଏପ୍ରିଲ ୭ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହି ଗୃହଦାହ ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଭାଜପା ଏମ୍‌ପିଙ୍କ ୯ ଜଣିଆ ଟିମ୍‌ ଅପରାଧସ୍ଥଳ ପରିଦର୍ଶନ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ହସ୍ତକ୍ଷେପ ଲୋଡ଼ିବା ପରେ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ତଲବ କରାଯାଇଛି। ଭାଜପା ଏବଂ ସିପିଆଇଏମ୍‌ ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କରିଥିବାବେଳେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ତଦନ୍ତକାରୀ ସଂସ୍ଥାକୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି କହିଛି।
ପ୍ରକାଶ ଯେ, ବର୍ଶାଲ ଗ୍ରାମର ଟିଏମ୍‌ସି ନେତା ଭାଦୁ ଶେଖ୍‌ଙ୍କୁ ସୋମବାର ରାତିରେ ହତ୍ୟା କରାଯାଇଥିଲା। ଏହାର କିଛି ଘଣ୍ଟା ପରେ ରାମପୁରହାଟର ବୋଗ୍‌ତୁଇ ଗ୍ରାମରେ ଏକ ଭସ୍ମୀଭୂତ ଘରୁ ୭ ଜଣଙ୍କ ମୃତଦେହ ମିଳିଥିବାବେଳେ ଅନ୍ୟ ଜଣେ ଆହତ ମହିଳା ହସ୍ପିଟାଲରେ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ୨ ଶିଶୁ ଓ ୬ ମହିଳା ଥିଲେ।

Share