ନୂଆଦିଲ୍ଲୀ,୧୨ା୧: ତାମିଲ ସୁପରଷ୍ଟାର ତଥା TVK ମୁଖ୍ୟ ବିଜୟ ସୋମବାର ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟରେ ହାଜର ହୋଇଥିଲେ। କରୁର ଦଳାଚକଟା ଘଟଣାରେ ତାଙ୍କର ଏବଂ ତାଙ୍କ ଦଳର ଭୂମିକାକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କୁ ଦୀର୍ଘ ସମୟ ଧରି ଜେରା କରିଛି। ତେବେ ପଚରାଉଚରା ସମୟରେ ବିଜୟ ଏହି ଦୁର୍ଘଟଣା ପାଇଁ ତାଙ୍କ ଦଳ କିମ୍ବା କୌଣସି କର୍ମକର୍ତ୍ତା ଦାୟୀ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି।
ଜେରା ସମୟରେ ବିଜୟ ତସିବିଆଇ’କୁ ଜଣାଇଛନ୍ତି ଯେ, ଏହି ଦୁଃଖଦ ଘଟଣା ପାଇଁ ତାଙ୍କ ଦଳ TVK ଦାୟୀ ନୁହେଁ। ସେ କହିଛନ୍ତି ଯେ, ”ସେଠାରେ ଅତ୍ୟଧିକ ଭିଡ଼ ଦେଖି ଏବଂ ତାଙ୍କ ଉପସ୍ଥିତି ଯୋଗୁଁ ଅଧିକ ବିଶୃଙ୍ଖଳା ସୃଷ୍ଟି ହୋଇପାରେ ବୋଲି ଅନୁଭବ କରି ସେ ତୁରନ୍ତ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ।”
ସିବିଆଇ ଏବେ ବିଜୟଙ୍କ ବୟାନକୁ ପୂର୍ବରୁ ପଚରାଉଚରା କରାଯାଇଥିବା ଦଳୀୟ କର୍ମକର୍ତ୍ତା ଓ ପୋଲିସ ଅଧିକାରୀଙ୍କ ବୟାନ ସହ ମିଳାଇ ଦେଖିବ। ପୋଲିସର ଅଭିଯୋଗ ଅନୁସାରେ, ବିଜୟ କାର୍ଯ୍ୟକ୍ରମକୁ ଆସିବାରେ ବିଳମ୍ବ କରିବା ଯୋଗୁଁ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ବିଜୟଙ୍କୁ ମଙ୍ଗଳବାର ପଚରାଉଚରା ପାଇଁ ଡକାଯାଇ ନାହିଁ। କିନ୍ତୁ ପୋଙ୍ଗଲ ପର୍ବ ପରେ ତାଙ୍କୁ ପୁଣି ଥରେ ହାଜର ହେବାକୁ ସମନ ଜାରି କରାଯାଇପାରେ।
୨୦୨୫ ସେପ୍ଟେମ୍ବର ୨୭ରେ କରୁରଠାରେ ବିଜୟଙ୍କ ଏକ ରାଜନୈତିକ ସଭା ଚାଲିଥିବା ବେଳେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା। ଏଥିରେ ୪୧ ଜଣ ପ୍ରାଣ ହରାଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଛି। ଦୁର୍ଘଟଣା ପରେ ବିଜୟ ମୃତକଙ୍କ ପରିବାର ପାଇଁ ୨୦ ଲକ୍ଷ ଏବଂ ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିଲେ।


