Categories: ଜାତୀୟ

ସିବିଆଇ ମନୀଷ ସିସୋଡିଆଙ୍କୁ ଦେଉଛି ମାନସିକ ନିର୍ଯାତନା: ସଞ୍ଜୟ ସିଂ

ନୂଆଦିଲ୍ଲୀ,୫।୩: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଗିରଫଦାରିକୁ ନେଇ ଭାଜପା ଉପରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପକ୍ଷରୁ ଟାର୍ଗେଟ୍‌ ଜାରି ରହିଛି। ରବିବାର ଏଏପି ଏମ୍‌ପି ସଞ୍ଜୟ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ନିର୍ଯାତନା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ଯେଉଁ ମନୀଷ ସିସୋଡିଆଙ୍କ ଶିକ୍ଷା ମଡେଲ ସାରା ବିଶ୍ୱରେ ଆଲୋଚନା ହେଉଛି, ସିବିଆଇ କାଗଜରେ ତାଙ୍କ ବିରୋଧରେ ଅଭିଯୋଗ ଲେଖାଯାଇ ତାଙ୍କୁ ଜବରଦସ୍ତି ଦସ୍ତଖତ କରିବାକୁ କୁହାଯାଉଛି। ସିବିଆଇ ତାଙ୍କୁ ମାନସିକ ସ୍ତରରେ ଏକପ୍ରକାର ନିର୍ଯାତନା ଦେଉଛି। ମନୀଷ ସିସୋଡିଆ ଏବଂ ତାଙ୍କ ଓକିଲ କୋର୍ଟରେ ଏହା ଦର୍ଶାଇଛନ୍ତି।
ସଞ୍ଜୟ ସିଂ ଆହୁରି କହିଛନ୍ତି, ପ୍ରଥମ ଚାର୍ଜଶିଟରେ କୌଣସି ସ୍ଥାନରେ ମନୀଷ ସିସୋଡିଆଙ୍କ ଉପରେ ଅଭିଯୋଗ ନାହିଁ। ସପ୍ଲିମେଣ୍ଟାରୀ ଚାର୍ଜଶିଟରେ ମନୀଷ ସିସୋଡିଆଙ୍କ ଉପରେ କୌଣସି ଅଭିଯୋଗ ନାହିଁ। ଏହା ଦେଖି ନରେନ୍ଦ୍ର ମୋଦି ଭାବିଥିଲେ ଆମର ଉଦ୍ଦେଶ୍ୟ ବିଫଳ ହୋଇଯିବ, ତା’ପରେ ବିନା କୌଣସି ପ୍ରମାଣ, ବିନା ତଥ୍ୟରେ ମନୀଷ ସିସୋଡିଆଙ୍କୁ ପୋଲିସ ଗିରଫ କରିଛି। ଭାଜପାର ଶୁଆ ସିବିଆଇ ସିସୋଡିଆଙ୍କ ଘର, ଅଫିସ୍‌ ଉପରେ ଚଢାଉ କରି କିଛି ପାଇଲା ନାହିଁ। ଭାଜପା ବିଧାୟକଙ୍କ ଘରେ ୬ କୋଟି ନଗଦ ଟଙ୍କା ମିଳିଥିବା ବେଳେ ସିବିଆଇ ଏହା ଉପରେ କ’ଣ ପଦକ୍ଷେପ ନେଇଛି? ହିମନ୍ତ ବିଶ୍ୱଶର୍ମା, ଶୁଭେନ୍ଦୁ ଅଧିକାରୀ ଏବଂ ନାରାୟଣ ରାଣେଙ୍କ ଭଳି ନେତା ଭାଜପାରେ ଯୋଗଦେବା ପରେ ହରିଶ୍ଚନ୍ଦ୍ର ହୋଇଯାଇଛନ୍ତି।
ଭାଜପା ଉପରେ ପ୍ରଶ୍ନ ଉଠାଇ ସଞ୍ଜୟ କହିଛନ୍ତି, ଗତ ୮ ବର୍ଷ ମଧ୍ୟରେ ଇଡି ୩୦୦୦ ଚଢାଉ କରିଛି। ପ୍ରାୟ ୯୫ ପ୍ରତିଶତ ଚଢାଉ ବିରୋଧୀ ଦଳର ନେତାଙ୍କ ଉପରେ ଥିଲା। ସେଥିରୁ କେବଳ ୦.୫ ପ୍ରତିଶତ ଅଭିଯୋଗ ପ୍ରମାଣିତ ହୋଇଥିଲା। ସମସ୍ତେ ଇଡି-ସିବିଆଇର ଅପବ୍ୟବହାର ଦେଖୁଛନ୍ତି। ଏଥିରୁ ଯେଉଁମାନେ ଭାଜପାରେ ଯୋଗ ଦେଉଛନ୍ତି, ସେମାନଙ୍କ ବିରୋଧରେ ଥିବା ମାମଲା ଉଠାଇ ନିଆଯାଉଛି।
ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରାଯାଇଥିଲା।

Share