Categories: ଜାତୀୟ

ସିବିଆଇକୁ ମିଳିଲା ଶାଜହାନ ଶେଖ୍‌ଙ୍କ କଷ୍ଟଡି

କୋଲକାତା,୫।୩ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଆଦିବାସୀ ମହିଳାଙ୍କୁ ଯୌନ ନିର୍ଯାତନା, ଜମି ହଡ଼ପ ଏବଂ ଜବରଦସ୍ତ ଚାନ୍ଦା ଆଦାୟ ମାମଲାରେ ଅଭିଯୁକ୍ତ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବାହୁବଳୀ ନେତା ଶାଜହାନ ଶେଖ୍‌ଙ୍କୁ ସିବିଆଇକୁ ହସ୍ତାନ୍ତର କରାଯାଇଛି। କାଲ୍‌କାଟା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାର ୨୬ ଘଣ୍ଟା ପରେ ଶେଖଙ୍କୁ ହସ୍ତାନ୍ତର କରାଯାଇଛି। ଇଡି ଅଧିକାରୀଙ୍କୁ ମାଡ ମାରିବା ଘଟଣାରେ ଶାଜହାନ ଗିରଫ ହୋଇଛନ୍ତି। ପଶ୍ଚିମବଙ୍ଗ ସିଆଇଡି ଘଟଣାର ତଦନ୍ତ କରୁଛି। ତେବେ ମଙ୍ଗଳବାର ହାଇକୋର୍ଟ ଶାଜହାନଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ପୋଲିସକୁ କହିଥିଲେ। କିନ୍ତୁ ପଶ୍ଚିମବଙ୍ଗ ସରକାର କିମ୍ବା ପୋଲିସ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରଥିଲେ। ଏନେଇ ସିବିଆଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହାଇକୋର୍ଟ ଏହା ଉପରେ ରାୟ ଶୁଣାଇ ଶାଜହାନଙ୍କୁ ବୁଧବାର ଅପରାହ୍ନ ୪.୧୫ ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଇତିମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିଏମ୍‌ସିର ନିଲମ୍ବିତ ନେତା ଶାଜହାନଙ୍କର ଜମି, ଆପାର୍ଟମେଣ୍ଟ ସମେତ ୧୨.୭୮ କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତି କରିଛି। ତାଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଜବତ ହୋଇଛି।
ଗତ ଜାନୁଆରୀ ୫ରେ ଇଡି ଅଧିକାରୀମାନେ ଚଢ଼ାଉ କରିବାକୁ ଯାଇଥିବାବେଳେ ଶାଜହାନଙ୍କ ସମର୍ଥକମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏହା ପରଠାରୁ ଶାଜହାନ ଫେରାର ହୋଇଯାଇଥିଲେ। ୫୫ ଦିନ ପରେ ସ୍ବତନ୍ତ୍ର ପୋଲିସ ଟିମ୍‌ ତାଙ୍କୁ ଗିରଫ କରିବା ପରେ ଟିଏମ୍‌ସି ତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରିଛି।

Share