Categories: ଜାତୀୟ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଜେଲ୍‌ରେ ଗିରଫ କଲା ସିବିଆଇ

ନୂଆଦିଲ୍ଲ,୧୨।୪: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ସମ୍ପୃକ୍ତ ଅଭିଯୋଗରେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତ୍ରୀ କେ. କବିତାଙ୍କୁ ସିବିଆଇ ଗିରଫ କରିଛି। ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବା ପରେ ସେ ତିହାର ଜେଲରେ ରହିଥିଲେ। ସ୍ବତନ୍ତ୍ର ଅଦାଲତଙ୍କ ଅନୁମତିକ୍ରମେ ଶନିବାର ସିବିଆଇ ତାଙ୍କୁ ଜେଲରେ ଜେରା କରିଥିଲା। ତେବେ ଗିରଫ ବିରୋଧରେ କବିତା କୋର୍ଟରେ ପହଞ୍ଚିଛନ୍ତି।
ଗିରଫ ପରେ କବିତାଙ୍କୁ ସିବିଆଇ ଏହାର ମୁଖ୍ୟାଳୟ ହାଜତକୁ ନେଇ ଜେରା କରିବ। ଆପରାଧିକ ଷଡ଼ଯନ୍ତ୍ର ଏବଂ ଆକାଉଣ୍ଟ ଜାଲିଆତି ନେଇ ଆଇପିସି ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରାରେ କବିତାଙ୍କୁ ଗିରଫ କରାଯାଇଛି। ସେ ମନିଲଣ୍ଡରିଂ, ପ୍ରମାଣ ନଷ୍ଟ କରିବା ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିବାରେ ସମ୍ପୃକ୍ତ ଥିବାର ପ୍ରାରମ୍ଭିକ ଅନୁଧ୍ୟାନରୁ ଜଣାପଡ଼ିଥିବାରୁ ତାଙ୍କୁ ଜାମିନ ଦେବାକୁ ସୋମବାର ଅଦାଲତ ମନା କରିଦେଇଥିଲେ। ଦକ୍ଷିଣୀ ମଦ କମ୍ପାନୀଗୁଡ଼ିକ ସପକ୍ଷରେ ଅବକାରୀ ନୀତି ପ୍ରସ୍ତୁତି ଲାଗି ଦିଲ୍ଲୀରେ ସରକାରରେ ଥିବା ଆମ୍‌ ଆଦ୍‌ମୀ ପାର୍ଟିକୁ ୧୦୦ କୋଟି ଟଙ୍କା ଲାଞ୍ଚ ଦେବା ମାମଲାରେ କବିତା ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଗତ ମାସ ୧୫ରେ ଇଡି ତାଙ୍କୁ ଜେରା କରିବା ପରେ ଗିରଫ କରିଥିଲା।

Share