କୋରାପୁଟରେ ହେବ ଗୁମ୍ଫା ପର୍ଯ୍ୟଟନର ବିକାଶ

କୋରାପୁଟ,୨୬ା୮(ସ୍ବ.ପ୍ର.): କୋରାପୁଟ ଜିଲାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହି ପ୍ରାକୃତିକ ବିଭବକୁ ଅଧିକ ଆକର୍ଷଣୀୟ କରିବା ଲାଗି କୋରାପୁଟ ଜିଲାରେ ଥିବା ବିଭିନ୍ନ ଗୁମ୍ପାର ବିକାଶ କରାଯିବ। ଆଲୋକୀକରଣ ବ୍ୟବସ୍ଥା ସହ ସେଠାକୁ ଯାତାୟାତ ଲାଗି ଭଲ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଆରମ୍ଭ ହୋଇଥିବା ଜିଲାପାଳ ଅବଦାଲ ଏମ୍‌. ଅଖତାର ଗୁରୁବାର ସୂଚନା ଦେଇଛନ୍ତି। ଜିଲାର ବୈପାରିଗୁଡା ବ୍ଲକର ଗୁପ୍ତେଶ୍ୱରଠାରୁ ଆରମ୍ଭ କରି ଲକ୍ଷ୍ମୀପୁର ବ୍ଲକର କୁଟୁଣିପଦର, ସେମିଳିଗୁଡା ନିକଟସ୍ଥ ପାରୁଆମାଳି, ପଟ୍ଟାଙ୍ଗୀ ବ୍ଲକର ଆମ୍ପାବାଲି ନିକଟସ୍ଥ ପେଦାବାଲଡା ଗୁମ୍ଫା, ନନ୍ଦପୁର ବ୍ଲକରେ ଥିବା ବାଲ୍ମୀକି ଆଶ୍ରମ ନିକଟସ୍ଥ ରାଜ ଗୁମ୍ଫା ଓ ବାଲଡା ନିକଟସ୍ଥ ନାଗେଶ୍ୱରୀ ଗମ୍ଫା ରହିଛି। ଏହି ଗୁମ୍ଫାଗୁଡିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଏହାକୁ ଦୃଷ୍ଟି ରଖି ଗୁମ୍ଫାଗୁଡିକର ଆଲୋକୀକରଣ ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି। ଗମ୍ଫାଗୁଡିକର ପୁନରୁଦ୍ଧାର ହେଲେ ଜିଲାରେ ପର୍ଯ୍ୟଟନର ବିକାଶ ହେବାସହ ସ୍ଥାନୀୟ ଲୋକେ ମଧ୍ୟ ରୋଜଗାରକ୍ଷମ ହୋଇପାରିବେ ବୋଲି ଜିଲାପାଳ କହିଛନ୍ତି। ବର୍ଷାଦିନ ପରେ ସମ୍ପୃକ୍ତ ଗୁମ୍ଫାକୁ ଯାଇଥିବା ରାସ୍ତାର ପିଚୁ କାମ ହେବ। ଅନ୍ୟପକ୍ଷରେ କୋଲାବ ନଦୀ ଉପରେ ଥିବା ଘାଟ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି। ୨୫ ଲକ୍ଷ ଟଙ୍କା ଓଆଇସିସିକୁ ପ୍ରଦାନ କରାଯାଇଛି । ଖୁବ୍‌ ଶୀଘ୍ର ଏ ସମସ୍ତ କାର୍ଯ୍ୟ ଶେଷ କରାଯିବ ବୋଲି ସେ କହିଥିଲେ। ପ୍ରଥମ ପଯର୍‌ୟାୟରେ ବର୍ତ୍ତମାନ ନାଗେଶ୍ୱରୀ ଗୁମ୍ଫାଗୁଡିକୁ ପର୍ଯ୍ୟଟକଙ୍କ ପାଇଁ ପ୍ରାକୃତିକ ଉପାୟରେ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଉଛି । କାର୍ଯ୍ୟ ସୁପରିଚାଳନା ପାଇଁ ଜିଲାପାଳ ଗୁମ୍ଫାଗୁଡିକୁ ପରିଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ ଅବସରରେ ଜିଲା ପଟ୍ଟାଙ୍ଗୀର ପେଦାୱାଲାଡା, ଗୁପ୍ତେଶ୍ୱର ଓ ନାଗେଶ୍ୱରୀ ଗୁମ୍ଫାଠାରୁ ପରବ ଶୁଭାରମ୍ଭ କରାଯାଇଥିଲା। ସେବେଠାରୁ ଜିଲାର ଏହି ପର୍ଯ୍ୟଟନସ୍ଥଳିର ବିକାଶ ନିମନ୍ତେ ଲକ୍ଷ୍ୟ ରଖାଯାଇଥିଲା।