ଗୋରୁଙ୍କୁ ଲମ୍ପି ରୋଗ, ଲୋକେ ଭୟଭୀତ

ସାରସକଣା,୧୦।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକର ପାଣ୍ଡରା ପଞ୍ଚାୟତରେ ଗୋଟିଏ ଗାଈ ଦେହରେ ଲମ୍ପି ରୋଗ ଲକ୍ଷଣ ଦେଖିବାକୁ ମିଳିଛି। ଏହାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଗ୍ରାମର ଜଣେ ବ୍ୟକ୍ତିଙ୍କ ଗାଈର ଦେହ ସାରା ଫଟକା ହେବା ସହ ପରେ ଚେକା ଚେକା ହୋଇଥିବା ଦେଖିବାକୁ ମିଳିଥିଲା। ଏହା ଲମ୍ପି ରୋଗ ଭାବି ଗ୍ରାମବାସୀ ଚିନ୍ତା ବ୍ୟକ୍ତ କରିଛନ୍ତି। ଗାଈର ଦେହ ସାରା ଏଭଳି ହୋଇଥିବା ବେଳେ କର୍ପୂର ଲଗାଇବାରୁ କିଛିଟା ଉପଶମ ମିଳିଥିବା ଗାଈର ମାଲିକ କହିଛନ୍ତି। ଏନେଇ ବ୍ଲକର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ରାଧାକୃଷ୍ଣ ସାହୁ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୬ଟି ଗାଈଠାରେ ଲମ୍ପି ରୋଗର ଲକ୍ଷଣ ଚିହ୍ନଟ ସହ ଚିକିତ୍ସା ମଧ୍ୟ କରାଯାଉଛି। ପଡ଼ୋଶୀ ରାଜ୍ୟଗୁଡ଼ିକରୁ ଏହି ରୋଗ ଆସୁଥିବା ସରକାରୀ ସୂଚନାରୁ ଜଣାପଡ଼ିଥିବା ହେତୁ ସାରସକଣା ବ୍ଲକକୁ ଲାଗି ରହିଥିବା ନିକଟବର୍ତ୍ତୀ ଜାଲଦା, ଭୁରଶାଣି, ବାଗବୁଡା ଏବଂ ପାକଟିଆ ପଞ୍ଚାୟତର ଗୋରୁଙ୍କୁ ଭାକ୍ସିନ ଦେବା ବ୍ୟବସ୍ଥା କରାଯାଉଛି। ଭାକ୍ସିନ ଅଭାବ ଯୋଗୁ ପାକଟିଆରେ କାର୍ଯ୍ୟକ୍ରମ ଆରମ୍ଭ ହୋଇନାହିଁ। ଜାଲଦା, ଭୁରଶାଣି ଓ ବାଗବୁଡା ଅଞ୍ଚଳରେ ଭାକ୍ସିନେଶନ କରାଯାଉଛି।