କାର୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ମାମଲା: ସରପଞ୍ଚଙ୍କ ସମେତ ୩ ଗିରଫ

ନାକଟିଦେଉଳ,୮ା୧୨(ବୈକୁଣ୍ଠ ନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅଧୀନ ଝାରବେଡ଼ା ଗ୍ରାମ ନିକଟ ରାସ୍ତାରେ କାର୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ପୋଲିସ ଶୁକ୍ରବାର ଜଣେ ସରପଞ୍ଚଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ନାକଟିଦେଉଳ ବ୍ଲକ ସାହେବୀ ପଞ୍ଚାୟତ ସରପଞ୍ଚ ରାମପ୍ରସାଦ ସାହୁ (୪୯), ସାହେବୀ ଗ୍ରାମର ବାରୁ ଦେହୁରି (୪୦) ଓ ରେଢାଖୋଲ ସହର ଗଣେଶନଗର ସାହିର ନାରାୟଣ ଦେହୁରି।
ସୂଚନା ଅନୁସାରେ ଗତ ୧ତାରିଖ ସନ୍ଧ୍ୟାରେ ବାଟଗାଁ ଗ୍ରାମର ବାବୁଲା ଦେହୁରି ନାମକ ଯୁବକ ବାଇକ୍‌ରେ ନାକଟିଦେଉଳ ଯାଉଥିବାବେଳେ ଝାରବେଡାଠାରେ ତାଙ୍କ ପଛରୁ ଏକ କାର୍‌ ଧକ୍କା ଦେଇଥିଲା। ଏହି କାର୍‌ରେ ସରପଞ୍ଚ ରାମପ୍ରସାଦ ଥିବା କୁହାଯାଉଛି। ଦୁର୍ଘଟଣାରେ ବାବୁଲା ବାଇକ୍‌ରୁ ଛିଟିକି ପଡି ଗୁରୁତର ହୋଇଥିଲେ। ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସରେ ବୁର୍ଲା ନେବା ବାଟରେ ବାବୁଲାଙ୍କ ମୃତ୍ୟୁ ଘଟିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାବୁଲାଙ୍କୁ ସରପଞ୍ଚ କାର୍‌ ଧକ୍କା କରି ମାରିଦେଇଥିବା ତାଙ୍କ ସାନଭାଇ ଅଜିତ ଦେହୁରି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୋଲିସ ଏକ ମାମଲା (ନଂ.୧୭୯/୨୩) ରୁଜୁ କରି ଘଟଣାର ତଦନ୍ତ କରିବା ସହ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିଥିଲା। ସେହି ଦିନଠାରୁ ଫେରାର ଥିବା ରାମପ୍ରସାଦଙ୍କ ସମେତ ସହଯୋଗୀ ବାରୁ ଓ ନାରାୟଣଙ୍କୁ ପୋଲିସ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱର ଡମଣା ଛକରୁ ୩୦୪ ଦଫାରେ ଗିରଫ କରି ଶୁକ୍ରବାର ରେଢାଖୋଲ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।