ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା  ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା, ସୁନା ଅଳଙ୍କାର, ମୋବାଇଲ୍‌ ଫୋନ୍‌ ଓ ଲୁଗା ଚୋରି ମାମଲାରେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅଦାଲତ।

ଘଟଣା ଅନୁଯାୟୀ, ଗତ ୨୦୨୫ ଡିସେମ୍ବର ୧୮ ତାରିଖ ରାତିରେ କୌଣସି ଦୁର୍ବୃତ୍ତ ରାଜିୟା ରେଡ୍ଡୀଙ୍କ ଘରେ ପଶି ଏକ ଟିଣ ବାକ୍ସରେ ରଖାଯାଇଥିବା ନଗଦ ୬୦ ହଜାର ଟଙ୍କା, ୩୦ଟି ଲୁଗା, ଗୋଟିଏ ମୋବାଇଲ୍‌ ଫୋନ୍‌ ଏବଂ ସୁନା ଅଳଙ୍କାର ଚୋରି କରି ନେଇଥିଲେ। ଏ ନେଇ ଘଟଣାର ପରଦିନ ରାଜିୟା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।

ତତ୍କାଳୀନ ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଏନେଇ ଦିଗପହଣ୍ଡି ଥାନା ମାମଲା ନଂ. ୪୭୨/୨୫ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୩୩୧(୪)/୩୦୫ ଅନୁଯାୟୀ ମାମଲା ରୁଜୁ କରିଥିଲେ।

ତଦନ୍ତକାରୀ ଅଧିକାରୀ ଏସ୍‌.ଆଇ. ରାଜ କିଶୋର ପାତ୍ର ଚୋରି ହୋଇଥିବା ମୋବାଇଲ୍‌ ଫୋନ୍‌କୁ ଟ୍ରାକିଂ କରି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଶ୍ରଦ୍ଧାପୁର ଗ୍ରାମର ଟି. ଚନ୍ଦ୍ର (୩୬)ଙ୍କ ଘରେ ଚଢ଼ାଉ କରିଥିଲେ। ସେଠାରୁ ତାଙ୍କୁ ଗିରଫ କରିବା ସହ ମୋବାଇଲ୍‌ ଫୋନ୍‌ ଜବତ କରି ଗତ ଏପ୍ରିଲ୍‌ ୧୮ ତାରିଖରେ କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ଜେଲ୍‌କୁ ପଠାଇ ଦିଆଯାଇଥିଲା।

ପରବର୍ତ୍ତୀ ସମୟରେ ଗତ ଜୁଲାଇ ୯ ତାରିଖରେ ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ନଂ. ୧୬୭/୨୬ ଅଦାଲତରେ ଦାଖଲ କରିଥିଲେ। ଦିଗପହଣ୍ଡିସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ନିଳିମା ଷଡ଼ଙ୍ଗୀ ଜି.ଆର୍‌. କେସ୍‌ ନଂ. ୫୭୯/୨୫ରେ ମୋଟ ୧୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ।

ଗିରଫ ହେବା ପରଠାରୁ ଅଭିଯୁକ୍ତ ଦିଗପହଣ୍ଡି ସବ୍‌ଜେଲ୍‌ରେ ରହିଥିଲେ। ଶୁକ୍ରବାର ମାମଲାର ଚୂଡ଼ାନ୍ତ ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ମାଜିଷ୍ଟ୍ରେଟ୍‌ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହ ଜେଲ୍‌ରୁ ମୁକ୍ତ କରିବାକୁ ରାୟ ପ୍ରଦାନ କରିଛନ୍ତି।

ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଅଶେଷ ନାଥ ମିଶ୍ର (ଏସ୍‌ଡିସି) ମାମଲା ପରିଚାଳନା କରୁଥିଲେ।

Dharitri – Odisha’s No.1 Odia Daily

Share