ପୂର୍ବତନ ତହସିଲଦାରଙ୍କ ନାଁରେ ମାମଲା: କୋର୍ଟ ପକ୍ଷରୁ ସମନ ଜାରି

ଦିଗପହଣ୍ଡି,୧୩ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲର ପୂର୍ବତନ ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁଙ୍କ ବିରୋଧରେ ୧୪/୨୧ ଅନୁଯାୟୀ ଏକ ଫୌଜଦାରୀ ମାମଲା ରୁଜୁ ହୋଇଥିବା ଜଣାପଡିଛି। ମାମଲାର ଆବେଦନକାରୀଙ୍କ ଯାଚିକା ଅନୁଯାୟୀ, ଦିଗପହଣ୍ଡି କୋର୍ଟର ମାଜିଷ୍ଟ୍ରେଟ୍‌ ସାକ୍ଷ୍ୟ ଗ୍ରହଣ ପରେ ତହସିଲଦାରଙ୍କ ବିରୋଧରେ ମୋକଦ୍ଦମା ରୁଜୁ ପାଇଁ ଆଦେଶ ହୋଇଛନ୍ତି।

ପ୍ରକାଶ ଥାଉକି,ଦିଗପହଣ୍ଡିସ୍ଥିତ ଶ୍ରୀ ରାଧା ଦାମୋଦର ମହାପ୍ରଭୁ ବିଜେଙ୍କ ମନ୍ଦିର ଜମିର ଭାଗ ଚାଷୀ ଅଟନ୍ତି ମାମଲାର ଆବେଦନକାରୀ ପି. ଶିବ ଶଙ୍କର। ସେ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ଓଡ଼ିଶା ଭୂ-ସଂସ୍କାର ଆଇନ ଅନୁଯାୟୀ ଓ ଏଲ ଆର୍‌ ମାମଲା ନଂ.୨/୨୧ ରୁଜୁ କରିଥିଲେ। ଏହି ମୋକଦ୍ଦମା ସ୍ଥିତାବସ୍ଥା ବୁଝିବା ପାଇଁ ଆବେଦନକାରୀ ପି. ଶିବ ଶଙ୍କର ଏବଂ ଅନ୍ୟ ଭାଗ ଚାଷୀ ବୃନ୍ଦ ତହସିଲ କାର୍ଯ୍ୟାଳୟସ୍ଥିତ କୋର୍ଟକୁ ଯାଇଥିଲେ। ପି. ଶିବ ଶଙ୍କର ତହସିଲଦାରଙ୍କୁ ସାକ୍ଷାତ କରି ମୋକଦ୍ଦମାର ସ୍ଥିତାବସ୍ଥା ସମ୍ପର୍କରେ ପଚାରିବାରୁ ତତ୍କାଳୀନ ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଅପମାନିତ କରିଥିଲେ।  ଜୀବନ ଚାଲିଯିବାର ଧମକ ଦେଇଥିଲେ। ପି. ଶିବ ଶଙ୍କର ଜଣେ ଆଇନଜୀବୀ ହୋଇଥିବାରୁ ସେ ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘକୁ ସମୁଦାୟ ଘଟଣା ଲିଖିତ ଆକାରରେ ଜଣାଇବା ପରେ ଦିଗପହଣ୍ଡି ଥାନାରେ ଏକ ଏତଲା ଦେଇଥିଲେ। ଥାନା କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ସେ ଏନେଇ ବ୍ରହ୍ମପୁର ଏସ୍‌ପିଙ୍କୁ ଜଣାଇଥିଲେ। କିଛି ଦିନ ଅପେକ୍ଷା କରି ଶେଷରେ ନିରାଶ ହେବା ପରେ ସେ ଦିଗପହଣ୍ଡିସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ତହସିଲଦାରଙ୍କ ବିରୋଧରେ ୱାନ . ସି . ସି ୧୪/୨୧ ଅନୁଯାୟୀ ମୋକଦ୍ଦମା ରୁଜୁ କରିଥିଲେ।  ମାଜିଷ୍ଟ୍ରେଟ ମାମଲାର ଆବେଦନକାରୀଙ୍କ ବୟାନ ରେକର୍ଡ  ପରେ ଧାରା ୨୦୨ ଅନୁଯାୟୀ ୪ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତିକରି ତତ୍କାଳୀନ ତହସିଲଦାରଙ୍କ ବିରୋଧରେ ମୋକଦ୍ଦମା ରୁଜୁ ପାଇଁ ଆଦେଶ ପ୍ରଦାନ ସହ କୋର୍ଟ ପକ୍ଷରୁ ସମନ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ କୁରେଶୁ ପଣ୍ଡା ଜଣାଇଛନ୍ତି।