ଏନ୍‌ଏଚ୍‌ଆର୍‌ସିରେ ମାମଲା: ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ବନ୍ଦ

କଟକ,୧୭।୯ (କାର୍ତ୍ତିକ ସାହୁ): ବିଭିନ୍ନ ଦାବି ନେଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ୯ ଦିନ ହେବ ବିଦ୍ୟାଳୟ ବନ୍ଦ କରି ଭୁବନେଶ୍ୱରଠାରେ ଧାରଣାରେ ବସିଛନ୍ତି। ଏଥିଯୋଗୁ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ହୋଇଯାଇଥିବା ଅଭିଯୋଗ କରି ନ୍ୟାୟ ପାଇଁ ଲଢ଼େଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଶନିବାର ଜାତୀୟ ମାନବାଧିକାର କମିଶନ୍‌(ଏନ୍‌ଏଚ୍‌ଆର୍‌ସି)ରେ ମାମଲା ରୁଜୁ କରିଛନ୍ତି। ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।
ମାମଲାର ବିବରଣୀ ଅନୁସାରେ, ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକମାନେ ସେମାନଙ୍କ ଦାବି ପୂରଣ ପାଇଁ ଦୀର୍ଘଦିନ ହେବ ସରକାରଙ୍କୁ ଜଣାଇ ଆସୁଥିଲେ। ଦାବିଗୁଡ଼ିକ ମଧ୍ୟରେ ଗ୍ରେଡ୍‌ ପେ’ ବୃଦ୍ଧି, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ, ୨୦୧୭ ମସିହାରୁ ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିବା ଆଦି ଅନ୍ତର୍ଭୁକ୍ତ ରହିଛି। ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଫଳରେ ରାଜ୍ୟର ୧.୩୦ ଲକ୍ଷ ପ୍ରାଥମିକ ଶିକ୍ଷୟିତ୍ରୀ ଓ ଶିକ୍ଷକ ସେମାନଙ୍କ ଦାବି ପୂରଣ ପାଇଁ ଗତ ଧାରଣାରେ ବସିଛନ୍ତି। ଏହାଦ୍ୱାରା ରାଜ୍ୟର ପ୍ରାୟ ୪୦ ଲକ୍ଷ ଛାତ୍ରୀଛାତ୍ରଙ୍କର ପାଠପଢ଼ା ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଶିକ୍ଷା ବିଭାଗ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କ ଦାବି ପୂରଣ କରିବା ବଦଳରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚିଠି କରି ନାଲିଆଖି ଦେଖାଇଛି। ଏଥିଯୋଗୁ ପ୍ରାଥମିକ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କ ଆନ୍ଦୋଳନ ସାରା ରାଜ୍ୟରେ ତୀବ୍ର ହେବାରେ ଲାଗିଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏଣୁ ଏନ୍‌ଏଚ୍‌ଆର୍‌ସି ଏହି ଘଟଣାରେ ହସ୍ତକ୍ଷେପ କରି ପଦକ୍ଷେପ ନେବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ନିବେଦନ କରାଯାଇଛି।