ପାକିସ୍ତାନରେ ୪୯ ସାମ୍ବାଦିକଙ୍କ ନାମରେ ମାମଲା

ଇସ୍‌ଲାମାବାଦ୍‌, ୨୬।୯: ଆତଙ୍କବାଦୀ ଆର୍ଯ୍ୟକାଳପ ପାଇଁ ବିଶ୍ୱରେ ନିନ୍ଦିତ ହେଉଥିବା ପାକିସ୍ତାନର ସଂଘୀୟ ତଦନ୍ତକାରୀ ସଂସ୍ଥା(ଏଫଆଇଏ) ନିଜ ଦେଶର ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛି। ପ୍ରାୟ ୪୯ ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଇଲେକ୍ଟ୍ରୋନିକ୍ସ କ୍ରାଇମ୍‌ ଆକ୍ଟ ଅନୁଯାୟୀ ଏଫ୍‌ଆଇଏ ଏହି ମାମଲା ପଞ୍ଜୀକରଣ କରିଛି। ଅପରପକ୍ଷରେ ସାମ୍ବାଦିକ ତଥା ସାମାଜିକ ଗଣମାଧ୍ୟମ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବାକୁ ପାକିସ୍ତାନ ସାମ୍ବାଦିକ ସଂଘ ଦାବି କରିଛି। ନଚେତ୍‌ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯିବ ବୋଲି ସଂଘ ପକ୍ଷରୁ କହିଛି। ପାକିସ୍ତାନ ପିପୁଲ୍ସ ପାର୍ଟି ସଂସଦୀୟ ନେତା ଶେରି ରେହମାନ ଏଥିପାଇଁ ଇମ୍ରାନ ଖାନ୍‌ ସରକାରଙ୍କୁ ନିନ୍ଦା କରିବା ସହ ଏହି ପଦକ୍ଷେପକୁ ଗଣମାଧ୍ୟମର କଣ୍ଠରୋଧ କରିବାର ଉଦ୍ୟମ ବୋଲି କହିଛନ୍ତି। ପାକିସ୍ତାନର ମାନବାଧିକାର କମିଶନ ମଧ୍ୟ ସରକାରଙ୍କ କାର୍ଯ୍ୟକଳାପକୁ ନିନ୍ଦା କରି ସରକାର ଏଭଳି କାର୍ଯ୍ୟରୁ ନିବୃତ୍ତ ହୁଅନ୍ତୁ ଏବଂ ରାଜନୈତିକ ଆକ୍ରୋଶ ପାଇଁ ଏଫ୍‌ଆଇଏର ବ୍ୟବହାର ବନ୍ଦ କରନ୍ତୁ ବୋଲି କହିଛନ୍ତି।

Share