Categories: ଜାତୀୟ

ବିବାହ କରାଇବା ପଡ଼ିଲା ମହଙ୍ଗା: ପଣ୍ଡିତଙ୍କ ବିରୋଧରେ ମାମଲା ଦାଏର

ଚଣ୍ଡିଗଡ଼,୩।୧୧: ହରିୟାଣାରେ ନାବାଳକଙ୍କ ବିବାହ କରାଇଥିବା ଜଣେ ପଣ୍ଡିତଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ବାଳ ବିବାହ ନିରୋଧୀ ଆଇନ ଅନ୍ତର୍ଗତ ମାମଲା ଦାଏର କରାଯାଇଛି। ହିସାରରେ ପଣ୍ଡିତ ଜଣକ ୨୦ ବର୍ଷ ନାବାଳକଙ୍କ ସହିତ ଜଣେ ୧୮ ବର୍ଷ ବୟସ୍କା ଯୁବତୀଙ୍କ ବିବାହ କରାଇଥିଲେ। ସୁରକ୍ଷା ପାଇଁ ବିବାହିତ ଯୋଡ଼ା ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ପୁଅଙ୍କର ବୟସ ବିବାହ ଯୋଗ୍ୟ ହୋଇ ନ ଥିବାରୁ ଏହାକୁ ବୈଧ କୁହାଯିବ ନାହିଁ ବୋଲି କୋର୍ଟ କହିଥିଲେ। ପଣ୍ଡିତଙ୍କ ବିରୋଧରେ ମାମଲା ଦାଏର କରିବା ପାଇଁ ହିସାର ଏସ୍‌ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଥିଲେ। ଏସମ୍ପର୍କିତ ମାମଲା ଅକ୍ଟୋବର ୨୫ରେ ହିସାର ସଦର ଥାନାରେ ଦାଏର କରାଯାଇଥିବା ଏସ୍‌ପି କହିଛନ୍ତି। ତେବେ ଯୁବତୀଙ୍କ ପରିବାର ପକ୍ଷରୁ ନାବାଳକଙ୍କ ବିରୋଧରେ ଅପହରଣ ଅଭିଯୋଗ ଅଣାଯାଇଛି।

Share