କୋଭିଡ୍‌ କଟକଣା ଉଲ୍ଲଂଘନ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଝିଅଙ୍କ ନାଁରେ ମାମଲା ରୁଜୁ

ଝାରସୁଗୁଡ଼ା ଅଫିସ,୨୯ା୬: କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କ ନାମରେ ରବିବାର ଝାରସୁଗୁଡ଼ା ଥାନା ପୋଲିସ ଏକ ମାମଲା ରୁଜୁ କରିଛି। ଗତ କିଛିଦିନ ଧରି ଏହି ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଶେଷରେ ପୋଲିସ ଦୀପାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ମନ୍ତ୍ରୀ ଦାସଙ୍କ ମା’ ବାପାଙ୍କ ନାମରେ ଗଠିତ ନରସିଂହ ବିଷ୍ଣୁପ୍ରିୟା ଟ୍ରଷ୍ଟ ପକ୍ଷରୁ ଗତ ୨୨ ତାରିଖରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କରୋନା ମୁକାବିଲାରେ ନିୟୋଜିତ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତାଙ୍କୁ କୋଭିଡ୍‌ ଯୋଦ୍ଧା ଭାବେ ଏହି ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ। ହେଲେ କେହି କୋଭିଡ୍‌ କଟକଣା ନିୟମ ପାଳନ କରି ନ ଥିଲେ। କେହି ସାମାଜିକ ଦୂରତା ଅବଲମ୍ବନ କରି ନ ଥିଲେ କି ମାସ୍କ ପିନ୍ଧି ନ ଥିଲେ। କୋଭିଡ୍‌ କଟକଣା ଉଲ୍ଲଂଘନ କରିଥିବା ଅଭିଯୋଗ କରି ଦୀପାଳିଙ୍କ ବିରୋଧରେ କଂଗ୍ରେସ ଲିଖିତ ଭାବେ ଝାରସୁଗୁଡ଼ା ଥାନାରେ ଅଭିଯୋଗ କରିଥିଲା। ହେଲେ କୌଣସି ମାମଲା ରୁଜୁ କରାଯାଇ ନ ଥିଲା। ଶେଷରେ ଝାରସୁଗୁଡ଼ା ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ ଥାନାରେ ଦୀପାଳି ଓ ଅନ୍ୟ ୩ରୁ ୪ ଜଣଙ୍କ ନାଁରେ କୋଭିଡ୍‌ କଟକଣା ଉଲ୍ଲଂଘନ କରିଥିବା ଅଭିଯୋଗ କରିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଏସ୍‌ପି ରାହୁଲ ପିଆର କହିଛନ୍ତି। ଜିଲାପାଳ ସରୋଜ କୁମାର ସାମଲଙ୍କ ନିର୍ଦ୍ଦେଶ ପରେ ମୁଁ ଥାନାରେ ଅଭିଯୋଗ କରିଛି ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଧାନ କହିଛନ୍ତି।