ରାମନାଗୁଡ଼ା ତହସିଲଦାରଙ୍କ ବିରୋଧରେ ମାମଲା

ଗୁଣପୁର,୧୬ା୫(ଡି.ଏନ.ଏ.): ରାୟଗଡ଼ା ଜିଲା ରାମନାଗୁଡ଼ା ତହସିଲଦାର ପ୍ରଭାତି ଝୋଡ଼ିଆଙ୍କ ବିରୋଧରେ ଗୁଣପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମାମଲା ରୁଜୁ ହୋଇଛି। ମାଡ଼ ମାରିବାକୁ ଉଦ୍ୟମ ଏବଂ ହତ୍ୟା ଧମକ ନେଇ ବାଲି ଠିକାଦାର ତଥା ବ୍ୟବସାୟୀ ଜାମି ଭେଙ୍କଟ ଅଭିଯୋଗ କରିଛନ୍ତି। ସୋମବାର ଏସ୍‌ଡିଜେଏମ୍‌ ବିଭୂତି ଭୂଷଣ ନାୟକ ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରିଥିବା ଭେଙ୍କଟ ରାଓଙ୍କ ଓକିଲ ଡି. ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି।
ମାମଲାର ବିବରଣୀରୁ ଜଣାଯାଏ, ଏପ୍ରିଲ ୨ରେ ରାମନାଗୁଡ଼ା ତହସିଲ ଅଫିସରେ ବାଲି ଲିଜ୍‌ ପାଇଁ ଟେଣ୍ଡର ବାକ୍ସ ଖୋଲାଯାଇଥିଲା। ଏଥିଲାଗି ଜାମି ଭେଙ୍କଟ ସମସ୍ତ ଟେଣ୍ଡର ପେପର ଏବଂ ଅନ୍ୟ କାଗଜପତ୍ର ନେଇ ରାମନାଗୁଡ଼ା ତହସିଲ ଅଫିସରେ ଉପସ୍ଥିତ ଥିଲେ। ଏହି ସମୟରେ ତହସିଲଦାର ତାଙ୍କୁ ଗାଳିଗୁଲଜ କରିବା ସହ ସ୍ଥାନ ଛାଡ଼ି ଚାଲିଯିବାକୁ କହିଥିଲେ। ଜାମି ଭେଙ୍କେଟ ଟେଣ୍ଡର ପ୍ରକିୟାରେ ସାମିଲ ହେବା ପାଇଁ ହାଇକୋର୍ଟଙ୍କ ଆଦେଶ ତହିସଲାଦାରଙ୍କ ନିକଟରେ ଦାଖଲ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ତହସିଲଦାର ତାଙ୍କୁ ଚାପୁଡ଼ା ମାରିବାକୁ ଉଦ୍ୟମ କରିବା ସହ କୌଣସି କୋର୍ଟ ଆଦେଶକୁ ସେ ଖାତିର କରନ୍ତି ନାହିଁ ବୋଲି କହିିଥିଲେ। ଜାମି ଭେଙ୍କଟଙ୍କ ସହ ସେଠାରେ ଉପସ୍ଥିତ ଥିବା ମାଟାଲିଙ୍ଗା ରାଜୁ ଦୁର୍ବ୍ୟବହାରର ପ୍ରତିବାଦ କରିବାରୁ ତହସିଲଦାର ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଏମିତିକି ଅଫିସ ପରିସରରୁ ନ ଗଲେ ମିଥ୍ୟା ମାମଲା ରୁଜୁ କରିବେ ଏବଂ ଗାଡ଼ି ଚଢ଼ାଇ ମାରିଦେବେ ବୋଲି ଧମକ ଦେଇଥିବା ନେଇ ଜାମି ଭେଙ୍କଟ ଗୁଣପୁର ଥାନାରେ ତହସିଲଦାରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ମେ ୨ରେ ଜାମି ଭେଙ୍କଟ କୌଣସି କାମରେ ରାମନାଗୁଡ଼ା ତହସିଲ ଅଫିସକୁ ଯାଇଥିଲେ। ଏହି ସମୟରେ ଗୁଣପୁର ଥାନାରୁ ମାମଲା ପ୍ରତ୍ୟାହାର ନିମନ୍ତେ ତହସିଲ ଅଫିସ୍‌ର କର୍ମଚାରୀ ଖତୁ ବାଉରି ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ପରବର୍ତ୍ତୀ ସମୟରେ ଗୁଣପୁର କୋର୍ଟର ଦ୍ବାରସ୍ଥ ହୋଇଥିଲେ। ମେ ୪ ରେ ତହସିଲଦାରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।