ବିଜେଡି ବିଧାୟକ, ଭାଜପା ନେତାଙ୍କ ନାଁରେ ମାମଲା

ଝାରବନ୍ଧ,୩୦।୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ସବୁ ଦଳ ପ୍ରଚାରରେ ମାତିଛନ୍ତି। ସୋମବାର ସନ୍ଧ୍ୟାରେ ଉକ୍ତ ନିର୍ବାଚନ ମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକ ଗୋଠୁଗୁଡ଼ା ପଞ୍ଚାୟତର ଭାଜପା ପ୍ରଭାରୀ ତଥା ସୁନ୍ଦରଗଡ଼ ଜିଲା ଜାରଙ୍ଗଲୋଇ ଗ୍ରାମର ଦିଲୀପ କୁମାର ସେନାପତି ଓରଫ୍‌ ପିଙ୍କୁଙ୍କୁ କଲାହାଣ୍ଡି ଜିଲା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ବନ୍ଧୁକ ମୁନରେ ଅପହରଣ କରିନେବା ଅଭିଯୋଗ ହଇଚଇ ସୃଷ୍ଟି କରିଥିଲା। ଭାଜପା ନେତା ସେନାପତି ରାତାରାତି ଉଦ୍ଧାର ହୋଇଛନ୍ତି। ଅନ୍ୟପଟେ ଏହି ଘଟଣା ଏବେ ନାଟକୀୟ ମୋଡ଼ ନେଇଛି। ସେନାପତିଙ୍କୁ ବିଧାୟକ ଦିଶାରୀ ଅପହରଣ କରିଥିବା ନେଇ ଭାଜପାର ଝାରବନ୍ଧ ମଣ୍ଡଳ ସଭାପତି ମିଳନ ପାଣ୍ଡେ ଏତଲା ଦେଇଥିଲେ। ଅପରପକ୍ଷେ ଭାଜପା ନେତା ସେନାପତି ସଲଡ଼ିହି ଗ୍ରାମରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ବାଣ୍ଟୁଥିଲେ ବୋଲି ଗ୍ରାମର ବିଜେଡ଼ି ନେତା ଦେବାର୍ଚ୍ଚନ ବରିହା ଝାରବନ୍ଧ ଥାନାରେ ଏତଲା ଦେଇଛନ୍ତି।
ଉଭୟ ପକ୍ଷଙ୍କ ଏତଲାକୁ ଭିତ୍ତି କରି ଝାରବନ୍ଧ ପୋଲିସ ପୃଥକ୍‌ ୨ଟି ମାମଲା ରୁଜୁ କରିଛି। ଭାଜପା ନେତା ପାଣ୍ଡେଙ୍କ ଏତଲା ଅନୁଯାୟୀ ଲାଞ୍ଜିଗଡ଼ ବିଧାୟକ ଦିଶାରୀଙ୍କ ବିରୋଧରେ ଦଫା ୩୬୩, ୩୭୯, ୫୦୬, ୩୪ ଆଇପିସି ଏବଂ ୨୫/୨୭ ଆର୍ମସ୍‌ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟପଟେ ବିଜେଡ଼ି ନେତା ବରିହାଙ୍କ ଏତଲାକୁ ଭିତ୍ତି କରି ପୋଲିସ ଦଫା ୩୪୨, ୩୨୩, ୫୦୬, ୩୪ ଆଇପିସିରେ ଅନ୍ୟ ଏକ ମାମଲା ରୁଜୁ କରିଛି। ଏ ସମ୍ପର୍କରେ ଝାରବନ୍ଧ ଥାନାଧିକାରୀ ଦିଲୀପ କୁମାର ବେହେରାଙ୍କୁ ପଚାରିବାରୁ ଏତଲା ପାଇବାର କିଛି ସମୟ ପରେ ସଲଡ଼ିହି ଗ୍ରାମରୁ ସେନାପତିଙ୍କୁ ଉଦ୍ଧାର କରାଯାଇଥିବା କହିଛନ୍ତି। ସେହିପରି ଉଭୟ ମାମଲାର ଅଧିକ ତଦନ୍ତ ଚାଲିଛି ବୋଲି ଥାନାଧିକାରୀ ବେହେରା ପ୍ରକାଶ କରିଛନ୍ତି।
ପ୍ରକାଶଥାଉକି, ଭାଜପା ନେତା ସେନାପତିଙ୍କୁ ସୋମବାର ସନ୍ଧ୍ୟାରେ ଲାଞ୍ଜିଗଡ଼ ବିଧାୟକ ଦିଶାରୀ ଏବଂ ତାଙ୍କ ସହଯୋଗୀମାନେ ଏକ ଇନୋଭା କାର୍‌ରେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ସଲଡ଼ିହି ଗ୍ରାମରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଭାଜପା ନେତା ସେନାପତି ଟଙ୍କା ବାଣ୍ଟୁଥିଲେ ବୋଲି ଗ୍ରାମର ବିଜେଡ଼ି ନେତା ବରିହା ଥାନାରେ ଅନ୍ୟ ଏକ ଏତଲା ଦେଇଥିଲେ ।