ଶାରୀଶୁଆ ପାହାଡ଼ରୁ ବୋହି ନେଲେ ମାଟି, ପଥର

ଖଇରା, ୨୦।୧: ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡରୁ ମାଟି ଓ ପଥର ଲୁଟ କରୁଥିବା ମାଫିଆମାନେ କିଛି ଦିନ ନୀରବ ରହିବା ପରେ ପୁଣି ଥରେ ସକ୍ରିୟ ହୋଇପଡିଛନ୍ତି। ସନ୍ଧ୍ୟା ହେଲେ ହଜାର ହଜାର ସଂଖ୍ୟାର ହାଇୱା ବାସୁଦେବପୁର ଏବଂ ଧାମରା ଅଞ୍ଚଳରୁ ଆସି ପାହାଡରୁ ମାଟି ଓ ମେଟାଲ ନେଉଛନ୍ତି। ଏଥିରେ ଏବେ ପ୍ରଶାସନ ଓ ରାଜନେତା ସାମିଲ ହୋଇଥିବାରୁ ସେମାନେ ଚିନ୍ତାମୁକ୍ତ ହୋଇ ଏହି ଚୋରାଚାଲାଣରେ ଲାଗିପଡିଛନ୍ତି। ସକାଳେ ଯେକୌଣସି ଲୋକ ପାହାଡକୁ ଯାଇ ନଜର ପକାଇଲେ ବଡ ବଡ ଗର୍ତ୍ତ ଦେଖି ତାହା ପୂର୍ବ ରାତିର ମାଟି ଓ ପଥର ଚୋରି ବିଷୟରେ ଜାଣିପାରିବ। ପୂର୍ବରୁ ମଝିରେ ମଝିରେ ପାହାଡ ପରିଦର୍ଶନ ପାଇଁ ଜିଲାରୁ କେହି ଅଧିକାରୀ ଆସିଲେ ଚୋରି ଉପରେ କିଛିଟା ରୋକ ଲାଗୁଥିଲା। ଏବେ ଅଧିକରୁ ଅଧିକ ଲୁଟ୍‌ ହେଉଥିବା ନଜରକୁ ଆସୁଛି। ଯଦି କେନ୍ଦ୍ର କିମ୍ବା ରାଜ୍ୟ ନେତୃବର୍ଗ ସ୍ତରରେ ଏହା ଉପରେ ନଜର ଦିଆ ନ ଯାଏ ତେବେ ଅଳ୍ପ କିଛିଦିନ ମଧ୍ୟରେ ପାହାଡ ଯେ ଶେଷ ହୋଇଯିବ ଏଥିରେ ସନ୍ଦେହ ନାହିଁ।
ଉକ୍ତ ପାହାଡ ଜୈବ ସମ୍ବେଦନ କ୍ଷେତ୍ର ମଧ୍ୟରେ ଆସୁଥିବାରୁ ୨୦୧୯ ମସିହା ଅକ୍ଟୋବର ୧୬ରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଖଣି ଖୋଳା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପ୍ରଶାସନ ପକ୍ଷରୁ ଖଣିରେ ୧୪୪ ଧାରା ଲାଗୁ କରାଯାଇଥିଲା। ଖଣି ଖୋଳା ଦିନରେ ବନ୍ଦ ଥିବା ବେଳେ ରାତିରେ କିଛି ଖଣି ବ୍ୟବହାରକାରୀ ପଥର ଉତ୍ତୋଳନ ଅବ୍ୟାହତ ରଖିଥିଲେ। ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଇବା ପରେ ୨୦୨୦ ମସିହା ଜୁଲାଇ ୧୮ ତାରିଖରେ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କଫୋର୍ସ ଅତିରିକ୍ତ ଏସ୍‌ପି ତେଜରାଜ ପଟେଲଙ୍କ ନେତୃତ୍ୱରେ ୧୪୪ଧାରା ବଳବତ୍ତର ଥିବା ବିଭିନ୍ନ ଖଣି ଉପରେ ଚଢାଉ କରିଥିଲେ। ଏହି ଘଟଣାରେ କେତେଜଣ ଖଣି ମାଲିକଙ୍କ ବିରୋଧରେ ଖଇରା ଥାନାରେ ଏକ ମାମଲା(ନଂ. ୪୧/୨୦) ରୁଜୁ କରାଯାଇଥିଲା। ସେହିଦିନଠାରୁ କିଛି ମାସ ପାଇଁ ଖଣିମାଫିଆମାନେ ସେମାନଙ୍କର ଏହି ବେଆଇନ କାର୍ଯ୍ୟକୁ ବନ୍ଦ ରଖିଥିଲେ। ପୁନଶ୍ଚ ଡିସେମ୍ବର ମାସରେ ଏହି ଚୋରାଚାଲାଣ ଆରମ୍ଭ ହୋଇଥିଲେ ମଧ୍ୟ ସ୍ଥାନୀୟ ଅଧିବାସୀଙ୍କ ବିରୋଧ ପରେ ଏହା କିଛି ଦିନ ଧରି ବନ୍ଦ ରହିଥିଲା। ଏବେ ପୁଣିଥରେ ସ୍ଥାନୀୟ ଲୋକପ୍ରିନିଧିଙ୍କ ଇଶାରାରେ ଧାମରା ଅଞ୍ଚଳକୁ ହଜାର ହଜାର ଟ୍ରିପ ପାହାଡ ମାଟି ଓ ମୋରମ ଚାଲାଣକୁ ଜୋରଦାର କରାଯାଇଛି। ଗାଡିଗୁଡିକର ଗର୍ଜନରେ ବନ୍ୟଜନ୍ତୁ ବିଶେଷ କରି ହାତୀମାନେ ଭୟଭୀତ ହୋଇ ପାହାଡ ସଂଲଗ୍ନ ଗାଁ କଇଥଗଡିଆ, ଗଗୁଆ, ରଣପୁର ବାଉଁଶଗଡିଆ, ବଗେଇପୁର ଆଦି ଅଞ୍ଚଳରେ ପଶି ବହୁ କ୍ଷତି ଘଟାଉଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଖଇରା ପୋଲିସ ପାଖରେ ଆବଶ୍ୟକ ଫୋର୍ସ ଏବଂ ଷ୍ଟାଫ ନ ଥିବାରୁ ରାତିରେ ଖଣିଜ ଚାଲାଣକାରୀଙ୍କୁ ଧରିବା ସମ୍ଭବ ନୁହେଁ ବୋଲି ଆଇଆଇସି ସୁବ୍ରତ ବେହେରା କହିଛନ୍ତି। ତହସିଲଦାର ପ୍ରଦୀପ ସାହୁଙ୍କ ସହ ଯୋଗାଯୋଗ କରିବାରେ ମାଟି ଚୋରି ବିଷୟରେ ଖବର ପାଇଛନ୍ତି। ତେବେ ରାତିରେ ପାହାଡକୁ ଯାଇ ସେମାନଙ୍କୁ ଧରିବା ସମ୍ଭବ ହେଉନାହିଁ ବୋଲି କହିଛନ୍ତି।

(ଉତ୍କଳବନ୍ଧୁ ପଣ୍ଡା)