ଫାଣ୍ଡି ସମ୍ମୁଖରେ ରାଜମିସ୍ତ୍ରୀଙ୍କୁ ଛୁରାମାଡ଼: ପୋଲିସର ଅପାରଗତାକୁ ଦାୟୀ କରି ରାସ୍ତାରୋକୋ

ଝାରସୁଗୁଡ଼ା ଅଫିସ୍‌,୩।୭: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ଶିଲ୍ପାଞ୍ଚଳ ହୋଇଥିବା ବେଳେ ଏଠାରେ ବିଭିନ୍ନ ଅଞ୍ଚଳରୁ ଲୋକେ ଆସି ବସବାସ କରୁଛନ୍ତି। ଏଠାରେ ଅନେକ ସମୟରେ ସାମାନ୍ୟ କଥାକୁ କେନ୍ଦ୍ର କରି ବଚସା, ମାରପିଟ୍‌, ହତ୍ୟାକାଣ୍ଡ, ଲୁଟ୍‌, ଚୋରି, ନକଲି ମଦ ବ୍ୟବସାୟ ଆଦି ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଛି। ହେଲେ ପୋଲିସ ଏହାକୁ ରୋକିବାରେ ବିଫଳ ହେଉଛି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ରବିବାର ପୂର୍ବାହ୍ନରେ ବନ୍ଧବାହାଲ ଫାଣ୍ଡି ସମ୍ମୁଖରେ ଜଣେ ଯୁବକ ଜଣେ ରାଜମିସ୍ତ୍ରୀଙ୍କ ପେଟକୁ ଛୁରାମାଡ଼ କରି ଫେରାର୍‌ ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ପୋଲିସର ଅପାରଗତାକୁ ଦାୟୀ କରି ଫାଣ୍ଡି ସମ୍ମୁଖ ରାସ୍ତାରେ ଧାରଣାରେ ବସି ରାସ୍ତା ଅବରୋଧ କରିଥିଲେ। ଖବରପାଇ ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ, ଫାଣ୍ଡି ଅଧିକାରୀ ରବି ଶଙ୍କର ଭଇଁସାଲଙ୍କ ସହ ପୋଲିସ କର୍ମଚାରୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ଆନ୍ଦୋଳନକାରୀଙ୍କ ଦାବି ମୁତାବକ, କତେକ ଲୋକେ ସରକାରୀ ଜମି ଜବରଦଖଲ କରି ସ୍ଥାନୀୟ ଅଞ୍ଚଳରେ ଅସାମାଜିକ କାର୍ଯ୍ୟ ଚଳାଇଛନ୍ତି। ତୁରନ୍ତ ଜିଲା ପ୍ରଶାସନ ଏହାକୁ ଉଚ୍ଛେଦ କରି ପୋଲିସ୍‌ ପାଟ୍ରୋଲିଂକୁ କଡାକଡି କରିବା ସହ ବେଆଇନ ମଦ କାରବାରକୁ ବନ୍ଦ ଦାବି କରିଥିଲେ। ଏସବୁ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍‌ଡିପିଓ ଭୋଇ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ା

ପିପିଲିକାନୀ ଗ୍ରାମର ରାଜମିସ୍ତ୍ରୀ ବେଣୁଧର ରୋହିଦାସ(୪୨)ଙ୍କ ପେଟରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ପ୍ରଥମେ ସ୍ଥାନୀୟ ଏମ୍‌ସିଏଲ୍‌ ହସ୍ପିଟାଲ୍‌ ପରେ ବୁର୍ଲାମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଫେରାର୍‌ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ କାବୁକରି ପୋଲିସ୍‌ ଜିମା ଦେଇଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବନ୍ଧବାହାଲ ପଞ୍ଚାୟତପଡାର ଗୁଡୁ ସା(୨୧)। ପୋଲିସ ତାଙ୍କ ନିକଟରୁ ଛୁରି ଜବତ କରିଛି। ଏନେଇ ବନହରପାଲି ଥାନାରେ ଏକ ମାମଲା(ନଂ.୧୪୩/୨୨) ରୁଜୁକରି ତଦନ୍ତ ଚଳାଇଛି।

ସୂଚନା ଯୋଗ୍ୟ ଫାଣ୍ଡି ସମ୍ମୁଖ ରାସ୍ତାପାର୍ଶ୍ୱରେ ମନୋଜ ପ୍ରସାଦ ନାମକ ବ୍ୟକ୍ତି ଏକ ଘର ନିର୍ମାଣ କରୁଛନ୍ତି। ଏହି ଜମିକୁନେଇ ଗୁଡୁ ସାଙ୍କ ପରିବାର ଓ ମନୋଜଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି ା ଏନେଇ ଏହି ଜମିରେ ୧୪୪ ଧାରା ଲାଗୁ ହୋଇଥିଲା। ଏଭଳି ସ୍ଥିତିରେ ମନୋଜ ଘର ନିର୍ମାଣ କରୁଥିବା ବେଳେ ରବିବାର ରାଜମିସ୍ତ୍ରୀ ବେଣୁଧରଙ୍କୁ ଗୁଡୁ ଏକ ଛୁରିରେ ଆକ୍ରମଣ କରିଥିଲେ।