Categories: ଖେଳ

ରାଣୀଙ୍କ ସମେତ ମହିଳା ହକି ଦଳର ୭ଙ୍କୁ କରୋନା

ନୂଆଦିଲ୍ଲୀ, ୨୭।୪(ପି.ଟି.)-ଭାରତୀୟ ମହିଳା ହକି ଅଧିନାୟିକା ରାଣୀ ରାମପାଲଙ୍କ ସମେତ ଦଳର ୭ ସଦସ୍ୟ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ ଟ୍ରେନିଂ କ୍ୟାମ୍ପ ପୂର୍ବରୁ ଖେଳାଳିମାନଙ୍କ ସହ ୨ ଜଣ ସପୋର୍ଟ ଷ୍ଟାଫ୍‌ଙ୍କ ରିପୋର୍ଟ କୋଭିଡ୍‌-୧୯ ପଜିଟିଭ୍‌ ଆସିଛି। ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ଦେହରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲା। ସେମାନଙ୍କୁ ସାଇ ସେଣ୍ଟରରେ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଖେଳାଳିମାନେ ସେମାନଙ୍କ ଘରୋଇ ସହରରେ ଥିଲେ। ବେଙ୍ଗାଲୁରୁସ୍ଥିତ ସାଇରେ ଟ୍ରେନିଂ ପାଇଁ ସେମାନେ ଆସିବା ପରେ ପ୍ରୋଟୋକଲ ଅନୁସାରେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖା ଯାଇଥିଲା। ଏପ୍ରିଲ ୨୪ରେ ନମୁନା ପରୀକ୍ଷା କରାଯାଇଥିଲା। ରାଣୀଙ୍କ ବ୍ୟତୀତ କରୋନା ସଂକ୍ରମିତ ହୋଇଥିବା ଅନ୍ୟ ଖେଳାଳିମାନେ ହେଲେ ସବିତା ପୁନିଆ, ଶର୍ମିଳା ଦେବୀ, ରଜନୀ, ନବଜୋତ କୌର, ନବନୀତ କୌର ଏବଂ ସୁଶୀଳା। ଏହା ବ୍ୟତୀତ ଭିଡିଓ ଆନାଲିଷ୍ଟ ଅମୃତପ୍ରକାଶ ଏବଂ ବୈଜ୍ଞାନିକ ପରାମର୍ଶଦାତା ଓ୍ବେନି ଲୋମ୍ବାର୍ଡ ମଧ୍ୟ ସଂକ୍ରମିତ ହୋଇଛନ୍ତି। ୧୦ ଦିନର ବ୍ରେକ୍‌ ପରେ ଭାରତୀୟ ମହିଳା ହକି ଦଳର କୋର୍‌ ଗ୍ରୁପ ସଦସ୍ୟା ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଗତ ରବିବାର କ୍ୟାମ୍ପରେ ଯୋଗ ଦେଇଥିଲେ। ଟ୍ରେନିଂ ଆରମ୍ଭ ପୂର୍ବରୁ ୨୫ ଜଣିଆ କୋର୍‌ ଗ୍ରୁପ ଖେଳାଳିମାନେ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌ରେ ଥିଲେ। ଗତ ଜାନୁୟାରୀରେ ଭାରତୀୟ ଦଳ ଆର୍ଜେଣ୍ଟିନା ଗସ୍ତ କରି ୭ ମ୍ୟାଚ ଖେଳିଥିଲା। ଏହାପରେ ଫେବୃୟାରୀରେ ଜର୍ମାନୀ ଗସ୍ତ କରି ୪ ମ୍ୟାଚ ଖେଳିଥିଲା।

Share