Categories: ଖେଳ

କ୍ୟାରିବିୟାନ ପ୍ରିମିୟର ଲିଗ୍‌: ତ୍ରିନବାଗୋର କ୍ରମାଗତ ପଞ୍ଚମ ବିଜୟ

ପୋର୍ଟ ଅଫ୍‌ ସ୍ପେନ୍‌,୨୮।୮(ପି.ଟି.): କ୍ୟାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ତ୍ରିନବାଗୋ ନାଇଟ୍‌ ରାଇଡର୍ସ ତା’ର ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ତ୍ରିନବାଗୋ କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ଗୁରୁବାର ତ୍ରିନବାଗୋ ୭ ଉଇକେଟରେ ଗୁୟାନା ଅମାଜନ ଓ୍ବାରିୟର୍ସକୁ ପରାସ୍ତ କରିଛି। ଫଳରେ ୫ଟି ମ୍ୟାଚ୍‌ ଖେଳି ସବୁଥିରେ ବିଜୟୀ ହେବା ସହ ତ୍ରିନ୍‌ବାଗୋ ୧୦ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଗୁୟାନା ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୧୨ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ସିମରନ ହେଟମେୟର ୨୬, ରସ୍‌ ଟେଲର ୨୬, କିମୋ ପଲ ଅପରାଜିତ ୨୮ ରନ ସଂଗ୍ରହ କରିଥିଲେ। ବୋଲିଂରେ ତ୍ରିନବାଗୋ ତରଫରୁ ଖାରି ପିଏର ସର୍ବାଧିକ ୩ ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ତ୍ରିନବାଗୋ ୧୮.୨ ଓଭରରେ ୩ ଉଇକେଟ ହରାଇ ୧୧୫ ରନକରି ବିଜୟ ହୋଇଥିଲା। ଦଳ ପକ୍ଷରୁ ଡାରେନ ବ୍ରାଭୋ ୨୬ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଟିମ୍‌ ସିଫର୍ଟ ୩୯ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲେଣ୍ଡଲ ସିମନ୍ସ ୧୯, ଟିଅନ ଓ୍ବେବ୍‌ଷ୍ଟର ୨୭ ରନ ସଂଗ୍ରହ କରିଥିଲେ। ବୋଲିଂରେ ଗୁୟାନ ତରଫରୁ ଇମ୍ରାନ ତାହିର ୨, କ୍ରିସ୍‌ ଗ୍ରୀନ ଗୋଟିଏ ଉଇକେଟ ହାସଲ କରିଛନ୍ତି।
ସେଣ୍ଟ ଲୁସିଆ ୬ ଉଇକେଟରେ ବିଜୟୀ
ଗୁରୁବାର ଅନୁଷ୍ଠିତ ଅନ୍ୟଏକ ମ୍ୟାଚ୍‌ରେ ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍‌ ପାଟ୍ରିଅଟ୍‌କୁ ୬ ଉଇକେଟରେ ପରାସ୍ତ କରିଛି ସେଣ୍ଟ ଲୁସିଆ ଜୌକାସ୍‌। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ସେଣ୍ଟ କିଟ୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୧୦ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ବେନ୍‌ ଡଙ୍କ ସର୍ବାଧିକ ୩୩, ଅଲଜାରି ଜୋସେଫ ଅପରାଜିତ ୨୧, ଅଧିନାୟକ ରେୟାଡ ଏମ୍‌ରିଟ୍‌ ୧୬ ରନ ସଂଗ୍ରହ କରିଥିଲେ। ବୋଲିଂରେ ସେଣ୍ଟ ଲୁସିଆ ତରଫରୁ ମହମ୍ମଦ ନବୀ ୧୫ ରନ ବ୍ୟୟ କରି ସର୍ବାଧିକ ୫ ଉଇକେଟ ହାସଲ କରିଥିଲେ। ଜବାବରେ ସେଣ୍ଟ ଲୁସିଆ ୧୪.୪ ଓଭରରେ ୪ ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ସେଣ୍ଟ ଲୁସିଆ ତରଫରୁ ନାଜିବୁଲ୍ଲା ଜଡ୍ରାନ ସର୍ବାଧିକ ୩୩, ରୋଷ୍ଟନ ଚେଜ୍‌ ଅପରାଜିତ ୨୭, ରାହାଖିମ୍‌ କର୍ନଓ୍ବାଲ ୨୬, ଆନ୍ଦ୍ରେ ଫ୍ଳେଚର ୧୬ ରନ ସଂଗ୍ରହ କରିଥିଲେ। ବୋଲିଂରେ ସେଣ୍ଟ କିଟ୍ସ ତରଫରୁ ଇମ୍ରାନ ଖାନ୍‌ ସର୍ବାଧିକ ୩ ଉଇକେଟ ଅକ୍ତିଆର କରିଥିଲେ।

Share