ମଙ୍ଗଳରେ ମିଳିଲା କାର୍ବନ

ନୂଆଦିଲ୍ଲୀ, ୨୦ା୧: ପୃଥିବୀରେ ଜୀବନର ମୂଳ ଆଧାର କାର୍ବନର ଉପସ୍ଥିତି ଅନ୍ୟଗ୍ରହରେ ଅଛି କି ନାହିଁ ଜାଣିବା ବୈଜ୍ଞାନିକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବାବେଳେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର କ୍ୟୁରିଓସିଟି ରୋଭର ଏ ଦିଗରେ ନୂଆ ଆଶା ସଞ୍ଚାର କରିଛି। ପୃଥିବୀରେ ଜୈବିକ ପ୍ରକ୍ରିୟାକୁ ସମ୍ଭବ କରୁଥିବା କାର୍ବନ ମଙ୍ଗଳ ପୃଷ୍ଠରେ ରହିଥିବାର ସଙ୍କେତ ମିଳିଛି। ମଙ୍ଗଳରୁ ସଂଗୃହୀତ ନମୁନାରେ କାର୍ବନ ଉପସ୍ଥିତି ସମ୍ପର୍କରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି।
ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ମଙ୍ଗଳପୃଷ୍ଠର ନମୁନାରେ କାର୍ବନର ସଙ୍କେତ ମିଳିବା ବେଶ ଉତ୍ସାହଜନକ। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଏହି ଗ୍ରହରେ ହଜାର ହଜାର ବର୍ଷ ପୂର୍ବରୁ ଜୀବନ ମହଜୁଦ୍‌ ରହିଥିଲା। କାରଣ ମଙ୍ଗଳରେ ପୂର୍ବରୁ କିମ୍ବା ଏବେ ଜୀବସତ୍ତାର ଉପସ୍ଥିତି ନେଇ ସେପରି କୌଣସି ପ୍ରମାଣ ସେଥିରୁ ମିଳିନାହିଁ। କେବଳ ନମୁନା ଆଧାରରେ ଏ ସମ୍ପର୍କରେ ସିଦ୍ଧାନ୍ତରେ ପହଞ୍ଚି ହେବ ନାହିଁ ବୋଲି ସାମ୍ପଲ ଆନାଲିସିସ୍‌ ଆଟ୍‌ ମାର୍ସ (ଏସ୍‌ଏଏମ୍‌)ରେ କାର୍ଯ୍ୟ କରିଥିବା ପଲ୍‌ ମହାଫି କହିଛନ୍ତି। ତେବେ କେଉଁ ଜିନିଷରୁ ମଙ୍ଗଳ ନମୁନାରେ କାର୍ବନ ଠାବ ହୋଇଛି ଏବଂ ଏହା ମଧ୍ୟରେ ଆଉ କ’ଣ ତଥ୍ୟ ଲୁଚି ରହିଛି ତାହା ଜାଣିବା ନିମନ୍ତେ ଗବେଷଣା ଚାଲିଥିବା ସେ ପ୍ରକାଶ କରିଛନ୍ତି। ପୃଥିବୀରେ ଜୀବନର ଲକ୍ଷଣ ଆଧାରରେ ବହୁ ବର୍ଷ ପୂର୍ବେ ସେଠାରେ ଥିବା ବ୍ୟାକ୍ଟେରିଆ ଭଳି ଜୀବଙ୍କଠାରୁ ନିର୍ଗତ ମିଥେନରୁ ଏହି ସଙ୍କେତ ମିଳିଥାଇପାରେ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି।
ଅତିବାଇଗଣୀ ରଶ୍ମିର ସଂସ୍ପର୍ଶରେ ଆସି ମିଥେନ୍‌ ବଡ଼ମାତ୍ରାରେ ଗ୍ୟାସ୍‌ରେ ପରିଣତ ହେବା ସହ ଅଧିକ କମ୍ପ୍ଲେକ୍ସ ମଲିକଲରେ ପରିଣତ ହେବାର ସମ୍ଭାବନା ରହିଛି।
ଏକ ହାଇପୋଥେସିସ୍‌ ଅନୁସାରେ, ବର୍ଷା ଯୋଗୁ ଏହି କାର୍ବନ କଣିକା ମଙ୍ଗଳପୃଷ୍ଠକୁ ଆସିଥାଇପାରେ ଏବଂ ସେଠାରେ ଦୀର୍ଘଦିନ ଧରି ରହିଥାଇପାରେ ବୋଲି କୁହାଯାଉଛି। ସେହିପରି ଆଉ ଏକ ଯୁକ୍ତି ଅନୁସାରେ ଏହି ଗ୍ରହରେ ଅତିବାଇଗଣୀ ରଶ୍ମି କାର୍ବନ ଡାଇଅକ୍ସସାଇଡ୍‌ ବା ଅଙ୍ଗାରକାମ୍ଳ ଗ୍ୟାସ୍‌ ସଂସ୍ପର୍ଶରେ ଆସି ସେଥିରୁ କାର୍ବନ ଅଣୁ ସୃଷ୍ଟି ହୋଇଥାଇପାରେ, ଯାହା କି ଉକ୍ତ ନମୁନାରେ ମିଳିଛି। ତେବେ ଏ ସମସ୍ତ ଥିଓରି କେଉଁଟି କେତେ ସତ୍ୟ ତାହା ଅନୁସନ୍ଧାନ ପରେ ଜଣାପଡ଼ିବ ବୋଲି ନାସା ପକ୍ଷରୁ କୁହାଯାଇଛି।

Share