ପଛଚକ ଫାଟି ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା କାର୍‌, ଆଉ ତା’ପରେ…

ଖଜୁରିପଡ଼ା,୨୬ା୪(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଦୂତିମେଣ୍ଡି ନିକଟସ୍ଥ ଖୋଲ ସାହିଠାରେ ରବିବାର ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ଜୋର ଥିଲା ଯେ, ବିଦ୍ୟୁତ୍‌ ଖୁଣ୍ଟଟି ଭାଙ୍ଗି ଯାଇଥିବା ବେଳେ କାର୍‌ ବସିଥିବା ୩ ଯାତ୍ରୀ ବର୍ତ୍ତି ଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଖଜୁରିପଡ଼ାରୁ କାର୍‌ଟି ଫୁଲବାଣୀ ଅଭିମୁଖେ ଯାଉଥିବା ବେଳେ ଦୂତିମେଣ୍ଡି ଖୋଲସାହି ନିକଟରେ ହଠାତ୍‌ ଗାଡ଼ିର ପଛଚକ ଫାଟିଯିବାରୁ ଚାଳକ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଥିଲା। ଗାଡ଼ିରେ ବସିଥିବା ରୁଜାଙ୍ଗି ଗ୍ରାମର ଆନନ୍ଦେଶ୍ୱର ଠାକୁର, ଅଜୟ ପ୍ରଧାନ ଏବଂ ଦେବେନ୍ଦ୍ର ପ୍ରଧାନ ବର୍ତ୍ତି ଯାଇଛନ୍ତି। ଏହି ୩ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଖଜୁରିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇ ଖଜୁରିପଡ଼ା ଥାନା ଏସ୍‌ଆଇ ଦୀନବନ୍ଧୁ ପ୍ରଧାନଙ୍କ ସମେତ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Share