ଶୋଇଥିବା ବେଳେ ଘର ଉପରକୁ ମାଡ଼ିଗଲା କାର୍, ଡ୍ରାଇଭର ଫେରାର

ମୋହନା,୧୬।୧୧(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପିଣ୍ଡିକି ଗାଁର ୩୨୬ ଏ ଜାତୀୟ ରାଜପଥର ରାସ୍ତା କଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ଘର ଭିତରକୁ ପଶିଗଲା କାର୍ । ତେବେ ଦୁର୍ଘଟଣାରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

ସୂଚନା ପ୍ରକାରେ ପିଣ୍ଡିକି ଗାଁର ହର ପ୍ରସାଦ ବିଶୋଇ ବହୁ ବର୍ଷ ହେବ ପରିବାର ପ୍ରତିପୋଷଣ ପାଇଁ ମୋହନା ଠାରୁ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ରାସ୍ତା କଡରେ ଛୋଟିଆ ବ୍ୟବସାୟ କରୁଥିଲେ । ରବିବାର ମଧ୍ୟରାତ୍ରୀରେ ମୋହନାରୁ ବ୍ରହ୍ମପୁରକୁ ଯାଉଥିବା ଦାମୀ କାର୍ ( OD 33 U 9977 ) ଟି ଭରସାମ୍ୟ ହରାଇ ହର ପ୍ରସାଦ ବିଷୋୟୀଙ୍କ ଘର ଉପରକୁ ମାଡିଯାଇଥିଲା ।
ହଟାତ ଶବ୍ଦ ଶୁଣି ପରିବାରଙ୍କ ନିଦ ଭାଙ୍ଗିଯାଇଥିଲା । ବାହାରକୁ ଆସି ଦେଖିଲାପରେ ହର ପ୍ରସାଦଙ୍କ ଦୋକାନ ଗୃହରେ ରହିଥିବା ଫ୍ରିଜ, ସିଲେଇ ମେସିନ ଏବଂ ଆନ୍ୟନ୍ୟ ଆସବା ପତ୍ର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଦେଖିଥିଲେ । ହର ପ୍ରସାଦ ୧୧୨ କୁ ଯୋଗାଯୋଗ କରିଥିଲେ । ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି କାରକୁ ଜବତ କରି ତଦନ୍ତ କରୁଛି । ଅନ୍ୟ ପକ୍ଷରେ ହର ପ୍ରସାଦ ମୋହନା ଥାନାରେ ଲକ୍ଷାଧିକ ଟଙ୍କାର କ୍ଷତି ହେବାର ଏକ ଲିଖିତ ଅଭିଯୋଗ କରିଛନ୍ତି ।

 

Dharitri – Odisha’s No.1 Odia Daily

Share