ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…

ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର ପାର୍ଶ୍ୱରୁ ଜୁନାଗଡ଼ ଅଭିମୁଖେ ଆସୁଥିବା ଏକ ଦ୍ରୁତଗାମୀ କାର୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ସୁରକ୍ଷା ବ୍ୟାରିକେଡ଼ରେ ଭୀଷଣ ଭାବେ ପିଟି ହୋଇଥିଲା। ଧକ୍କା ଏତେ ଭୟାବହ ଥିଲା ଯେ, ଦୁର୍ଘଟଣା ଘଟିବା ମାତ୍ରେ କାର୍‌ଟିରେ ନିଆଁ ଲାଗିଯାଇ ପ୍ରାୟ ସମ୍ପୂର୍ଣ୍ଣ ଜଳିଯାଇଛି।

ମିଳିଥିବା ସୂଚନା ମୁତାବକ, ଦୁର୍ଘଟଣା ସମୟରେ କାର୍ ଭିତରେ ଦୁଇ ଜଣ ଯାତ୍ରୀ ଫସି ରହିଥିଲେ। ନିଆଁ ଚାରିଆଡ଼କୁ ଗ୍ରାସ କରିବା ପୂର୍ବରୁ ସ୍ଥାନୀୟ ଲୋକେ ନିଜ ଜୀବନକୁ ବାଜି ଲଗାଇ ସାହସିକତାର ସହ ଦୁଇ ଜଣଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରିଥିଲେ। ତେବେ ଉଭୟ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣା ସମ୍ପର୍କରେ ଖବର ପାଇ ଜୁନାଗଡ଼ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ ଦଳର ପ୍ରଚେଷ୍ଟା ଯୋଗୁଁ ନିଆଁ ସମ୍ପୂର୍ଣ୍ଣ ଲିଭିଥିଲେ ହେଁ କାର୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Dharitri – Odisha’s No.1 Odia Daily

Share