କାର୍‌ ଚକା ଫାଟିଯିବାରୁ ବାଇକ୍‌ ସହ ମୁହାଁମୁହିଁ ଧକ୍କା: ଶାଶୁଙ୍କ ଜୀବନ ଗଲା, ଜ୍ୱାଇଁ ଗୁରୁତର

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ବଜାର ନିକଟରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଦ୍ରୁତ ଗତିରେ ଆସୁଥିବା ବେଳେ ଡେଙ୍ଗାଓସ୍ତା ବଜାର ନିକଟରେ କାର୍‌ ଆଗଚକା ଫାଟିଯିବାରୁ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ବାଇକ୍‌ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍‌ରେ ବସିଥିବା ମହିଳା ବାସୁନୀ ମଣ୍ଡଳଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଅବିନାଶ ମଣ୍ଡଳ ଗୁରୁତର ହୋଇଛନ୍ତି। ଗୁରୁତର ଅବିନାଶ ପାଟପୁର ଥାନା ଅନ୍ତର୍ଗତ କପାବାଡ଼ ଗ୍ରାମର ହୋଇଥିବା ବେଳେ ମୃତକ ଜଣକ ଧରାକୋଟ୍‌ ଥାନା ଅନ୍ତର୍ଗତ ଅନ୍ଦାରୀ ଗ୍ରାମର ବାସୁନୀ ମଣ୍ଡଳ ବୋଲି ଜଣାପଡ଼ଛି। ଖବର ପାଇ ସାନଖେମୁଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁ୍‌ହଁିଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବାସୁନୀଙ୍କୁ ମୃତ ଘୋଷଣା କରିଥିବାବେଳେ ଅବିନାଶଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ୍‌ ପଠାଇଥିବା ଜଣାପଡ଼ିଛି। ଖବର ପାଇ ଦିଗପହଣ୍ଡି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ି ଦୁଇଟିକୁ ଜବତ କରିଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିଛି। ଏଥିସହିତ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳେଇଛି। ମୃତ ଓ ଗୁରୁତର ଉଭୟ ଶାଶୁ ଜ୍ୱାଇଁ ବୋଲି ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା କହିଛନ୍ତି।