‘ଭୁଲିଗଲି ସାର୍‌…’, ଟସ୍‌ ବେଳେ ପ୍ଲେଇଂ-୧୧ ଭୁଲିଗଲେ ବୈଭବ ସୂର୍ଯ୍ୟବଂଶୀ! ଭିଡିଓ ଭାଇରାଲ

ପାଟନା,୧୪ା୧୧: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ୍‌ ଜଗତରେ ଆଉ ଏକ ଇତିହାସ ରଚିଛନ୍ତି ଯୁବ କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ବିହାର ଦଳର ଅଧିନାୟକ ଦାୟିତ୍ୱ ତୁଲାଇ ସେ ପୁରୁଷ ଟି-୨୦ କ୍ରିକେଟ୍‌ରେ ସବୁଠୁ କମ୍‌ ବୟସର ଅଧିନାୟକ ହେବାର ରେକର୍ଡ କରିଛନ୍ତି । ୧୫ ବର୍ଷ ୨୩୨ ଦିନ ବୟସରେ ସେ କ୍ରୋଏସିଆର ଜ୍ୟାକ୍‌ ଭୁକୁସିକ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ଇନ୍ଦୋରର ହୋଲକର ଷ୍ଟାଡିୟମ୍‌ରେ ବିହାର ଓ ସୌରାଷ୍ଟ୍ର ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ବୈଭବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଥର ଅଧିନାୟକ ହେବା ନେଇ ସେ କହିଥିଲେ, ଏହା ତାଙ୍କ ସ୍ୱପ୍ନ ପୂରଣ ହେବା ଭଳି। ଯେଉଁ ରାଜ୍ୟରୁ ସେ କ୍ରିକେଟ୍‌ ଆରମ୍ଭ କରିଥିଲେ, ସେହି ରାଜ୍ୟର ନେତୃତ୍ୱ ନେବା ତାଙ୍କ ପାଇଁ ବଡ଼ କଥା। ତେବେ ଟସ୍‌ ପରେ ପ୍ଲେଇଂ ଇଲେଭେନ୍‌ର କମ୍ବିନେସନ୍‌ ବିଷୟରେ ପଚରାଯିବାରୁ ବୈଭବ ଟିକେ ଅଡ଼ୁଆରେ ପଡ଼ିଯାଇଥିଲେ। ପ୍ରଥମେ କିଛି ସମୟ ଭାବିବା ପରେ ସେ ମଜାଳିଆ ଢଙ୍ଗରେ କହିଥିଲେ, “ଭୁଲିଗଲି ସାର୍‌ ମୁଁ।” ତାଙ୍କର ଏହି ପ୍ରତିକ୍ରିୟାର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି।

ଅନ୍ୟପଟେ ମ୍ୟାଚ୍‌ରେ ବିହାର ଦଳ ପରାଜୟର ସାମ୍ନା କରିଛି । ପ୍ରଥମେ ବ୍ୟାଟିଂ କରି ବିହାର ୧୩୭ ରନ୍‌ କରିଥିଲା। ବୈଭବ ୧୨ଟି ବଲ୍‌ରୁ ୧୮ ରନ୍‌ କରିଥିଲେ । ଜବାବରେ ସୌରାଷ୍ଟ୍ର ୧୭ତମ ଓଭରରେ ଲକ୍ଷ୍ୟ ହାସଲ କରି ମ୍ୟାଚ୍‌ ଜିତି ନେଇଥିଲା। ଚଳିତ ବର୍ଷ ଭାରତୀୟ ଦଳ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିବା ବୈଭବ, ଆଇପିଏଲ୍‌ରେ ନିଜ ପ୍ରଦର୍ଶନ ଜରିଆରେ ମଧ୍ୟ ଚର୍ଚ୍ଚାରେ ରହିଥିଲେ । ଏବେ ମାତ୍ର ୧୫ ବର୍ଷ ବୟସରେ ଟି-୨୦ ଦଳର ନେତୃତ୍ୱ ନେଇ ସେ ନିଜ ନାଁରେ ଆଉ ଏକ ରେକର୍ଡ ଯୋଡ଼ିଛନ୍ତି ।

 

Dharitri – Odisha’s No.1 Odia Daily

Share