ପ୍ରଚଣ୍ଡ ବିସ୍ଫୋରଣରେ ଥରିଲା ରାଜଧାନୀ

ମୋଗାଦିଶୁ,୬।୩: ସୋମାଲିଆର ରାଜଧାନୀ ମୋଗାଦିଶୁରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଶୁକ୍ରବାର ବିଳମ୍ବିତ ରାତ୍ରରେ ଘଟିଥିବା ଏହି ବିସ୍ଫୋରରରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସେନାବାହିନୀ ଓ ପୋଲିସ ମୁତୟନ ହୋଇଛନ୍ତି। ଆହତଙ୍କ ମଧ୍ୟରେ କେତେକଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟ ଜନକ ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଥିବା ପ୍ରଶାସନ କହିଛି। ବନ୍ଦର ଅଞ୍ଚଳରେ ଥିବା ଲ୍ୟୁଲ୍‌ ୟେମିନି ରେଷ୍ଟୁରାଣ୍ଟ୍‌ ନିକଟରେ କାର୍‌ ବୋମା ବିସ୍ଫୋରଣ ଯୋଗୁ ସ୍ଥାନୀୟ ଅଞ୍ଚଳର ଥରି ଉଠିଥିଲା। ଘରେ ଶୋଇଥିବା ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ। ଏଠାରେ ମୌଳବାଦୀ ସଂଗଠନ ଶବାବ୍‌ ପକ୍ଷରୁ ପ୍ରାୟତଃ ଏଭଳି ଆକ୍ରମଣ କରାଯାଇଥାଏ। ତେବେ ବିସ୍ଫୋରଣ କେଉଁ ସଂଗଠନ ଦ୍ୱାରା କରାଯାଇଛି ତାହାର ସନ୍ଧାନ ଜାରି ରହିଥିବା ପୋଲିସ ବିଭାଗ କହିଛି।

Share