Categories: ଜାତୀୟ

ଅମରାବତୀକୁ ରାଜଧାନୀ କରିବା ପ୍ରସଙ୍ଗ: ସୁପ୍ରିମ୍‌କୋର୍ଟରେ ଆନ୍ଧ୍ରପ୍ରଦେଶ ସରକାର…

ନୂଆଦିଲ୍ଲୀ, ୧୭।୯ : ଅମରାବତୀକୁ ରାଜଧାନୀ କରିବା ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ସରକାର ସୁପ୍ରିମ୍‌କୋର୍ଟରେ ପହଞ୍ଚିଛନ୍ତି। ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଅମରାବତୀକୁ ରାଜ୍ୟର ଏକମାତ୍ର ରାଜଧାନୀ କରିବା ସପକ୍ଷରେ ରାୟ ପ୍ରଦାନ କରିଥିଲେ। ଏହାକୁ ନେଇ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଇନଜୀବୀ ମେହଫୁଜ୍‌ ନାଜକୀଙ୍କ ପକ୍ଷରୁ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରାଯାଇ ଶୀର୍ଷକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି।
ପିଟିଶନରେ ଉଲ୍ଲେଖ କରାଯାଇଛି ଯେ, ସାମ୍ବିଧାନିକ ବ୍ୟବସ୍ଥାର ଫେଡ଼େରାଲ କାର୍ଯ୍ୟକାରିତା କ୍ଷେତ୍ରରେ ରାଜ୍ୟ ସରକାର କେଉଁଠାରେ ରାଜଧାନୀ କରିବେ ତାହା ତାଙ୍କର ଅଧିକାର ପରିସରଭୁକ୍ତ। ରାଜ୍ୟ ସରକାରଙ୍କୁ ଏଭଳି କରିବାକୁ ରୋକିବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ। ହାଇକୋର୍ଟଙ୍କ ରାୟ ରାଜ୍ୟ ସରକାରଙ୍କ ସ୍ବାଧୀନ ନିଷ୍ପତ୍ତି ନେବା କ୍ଷେତ୍ରରେ ବାଧା ସୃଷ୍ଟି କରୁଛି।

ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରଶାନ୍ତ କୁମାର ମିଶ୍ର, ବିଚାରପତି ଏମ୍‌ ସତ୍ୟନାରାୟଣ ମୁର୍ତ୍ତୀ, ଡି.ଭି.ଏସ୍‌.ଏସ୍‌. ସୋମେୟାଜୁଲୁଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ୩ ରାଜଧାନୀ ନୀତିକୁ ବିରୋଧ କରିଥିଲେ। ରାଜ୍ୟ ସରକାର ଅମରାବତୀ,ବିଶାଖାପଟ୍ଟନମ୍‌ ଏବଂ କୁରୁନଲରେ ରାଜଧାନୀ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ଗ୍ରହଣ କରିଥିଲେ। ଅମରାବତୀରେ ରାଜଧାନୀ ପ୍ରତିଷ୍ଠା ଲାଗି ୩୩ ହଜାର ପରିବାର ସେମାନଙ୍କର ଜମି ପ୍ରଦାନ କରିଛନ୍ତି। ଏପରିସ୍ଥଳେ ସେସବୁ ପରିବାରର ଜୀବନଜୀବିକା ବାଧାପ୍ରାପ୍ତ ହୋଇଥିବାବେଳେ ସେମାନେ ରାଜ୍ୟ ସରକାରଙ୍କ ୩ ରାଜଧାନୀ ନୀତିକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share