Categories: ଜାତୀୟ

ଭୂକମ୍ପ ଜୋନ୍‌ରେ ରାଜଧାନୀ: ୨ ବର୍ଷରେ ୬୪ ଥର ଥରିଛି

ନୂଆଦିଲ୍ଲୀ,୩।୧୧: ରାଜଧାନୀ ଦିଲ୍ଲୀ ଭୂକମ୍ପ ଜୋନ୍‌ରେ ରହିଛି। ଏଠାରେ ଗତ ୨ ବର୍ଷ ମଧ୍ୟରେ ୬୪ ଥର ଭୂକମ୍ପ ହୋଇଛି। ସେଥିମଧ୍ୟରୁ ୫୬ଥର ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ରୁ ୪.୯ ମଧ୍ୟରେ ରହିଛି। ୮ଥର ୫ରୁ ଅଧିକ ତୀବ୍ରତା ଯୁକ୍ତ ଭୂକମ୍ପ ଘଟିଛି। ଏହାକୁ ନେଇ ଭୂବିଜ୍ଞାନୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏନେଇ ଓ୍ବାଡ଼ିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟନ ଜିଓଲୋଜିର ଗବେଷକ ଅଧ୍ୟୟନ ଆରମ୍ଭ କରିଛନ୍ତି। ଲଗାତାର କାହିଁକି ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ହେଉଛି ତାହାର କାରଣ ଖୋଜା ଚାଲିଛି। ଗବେଷକମାନେ ମ୍ୟାଗ୍ନେଟୋଟେଲୋରିକ୍‌ ଏବଂ ରିକ୍ଟର ସ୍କେଲ ଆଦି ଉପକରଣ ଦ୍ୱାରା ଅନୁଧ୍ୟାନ କରୁଥିବା ଓ୍ବାଡ଼ିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟନ ଜିଓଲୋଜିର ନିର୍ଦ୍ଦେଶକ ଡ. କଳାଚନ୍ଦ ସାଇ ସୂଚନା ଦେଇଛନ୍ତି। ଏହି ଅଞ୍ଚଳରେ ୭ରୁ ୧୦ ତୀବ୍ରତାଯୁକ୍ତ ଭୂକମ୍ପ ହେବାର ଆଶଙ୍କା କମ୍‌ ରହିଛି। କିନ୍ତୁ ଯଦି ଭବିଷ୍ୟତରେ ଏଠାରେ ୬ ତୀବ୍ରତା ଯୁକ୍ତ ଭୂକମ୍ପ ଘଟେ ତେବେ ବହୁ କ୍ଷୟକ୍ଷତି ହେବ ବୋଲି ସେ କହିଛନ୍ତି। ଭୂକମ୍ପ କେବେ ହେବ ତାହା ଆକଳନ କରିବା କଷ୍ଟକର। ତେଣୁ ଏନେଇ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସମେତ ସାଧାରଣ ଲୋକମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି। ଭୂକମ୍ପ ନିରୋଧୀ କୋଠା ନିର୍ମାଣ କରାଯିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି। ଏହାଦ୍ୱାରା କ୍ଷୟକ୍ଷତି ଆଶଙ୍କା କମ୍‌ ରହିବ। ରାଜଧାନୀ ଦିଲ୍ଲୀର ଆଖାପାଖ ଅଞ୍ଚଳରେ ଭୂଗର୍ଭରେ ଶକ୍ତିସ୍ତରରେ ପରିବର୍ତ୍ତନ ଯୋଗୁ ଚାପରେ ଅଦଳବଦଳ ହେଉଛି। ଏହାଯୋଗୁ ଲଗାତାର ଭୂକମ୍ପ ହେଉଥିବା ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି।

Share