ଭୁବନେଶ୍ୱର,୨୭।୧: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ମଙ୍ଗଳବାର ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକରେ ଚିକିତ୍ସା ସେବାକୁ ଅଧିକ ବ୍ୟାପକ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ରୋଗୀଙ୍କ ଚାପକୁ ଦୃଷ୍ଟିରେ ରଖି ହସ୍ପିଟାଲର ଆଇସିୟୁ ଶଯ୍ୟା ସଂଖ୍ୟାକୁ ବର୍ତ୍ତମାନର ୧୪ରୁ ୪୦କୁ ବୃଦ୍ଧି କରାଯିବ। ଏନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି । ଏଥିସହିତ ପିଜି ମେଡିକାଲ ଶିକ୍ଷାର୍ଥୀଙ୍କ ପାଇଁ ଆବଶ୍ୟକୀୟ ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନିଆଯିବ ।
ଦୀର୍ଘ ବର୍ଷ ଧରି ଠିକା ଭିତ୍ତିରେ କାର୍ଯ୍ୟ କରୁଥିବା ପ୍ରାୟ ୧୫୦ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଚାକିରି ନିୟମିତ କରିବା ପାଇଁ ବୈଠକରେ ପ୍ରତିଶ୍ରୁତି ଦିଆଯାଇଛି ।
ଏହି ବୈଠକରେ ସାଂସଦଙ୍କ ସମେତ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ହସ୍ପିଟାଲ ନିର୍ଦ୍ଦେଶକ, ଅଧୀକ୍ଷକ ଏବଂ ପୂର୍ତ୍ତ ବିଭାଗ ଓ ‘ୱାଟକୋ’ (WATCO) ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

