Categories: ଜାତୀୟ

ଅଜାନ ଶବ୍ଦରେ ଶୋଇପାରୁ ନାହାନ୍ତି କୁଳପତି: ଜିଲାପାଳଙ୍କୁ ଲେଖିଲେ ଚିଠି

ପ୍ରୟାଗରାଜ,୧୭।୩: ଉତ୍ତରପ୍ରଦେଶର ପ୍ରୟାଗରାଜ ସ୍ଥିତ ଆହ୍ଲାବାଦ୍‌ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଙ୍ଗୀତା ଶ୍ରୀବାସ୍ତବ ମସଜିଦ୍‌ରୁ ଶୁଭା ଯାଉଥିବା ଅଜାନ ଶବ୍ଦରେ ଶୋଇ ପାରୁ ନାହାନ୍ତି। ଏନେଇ ସେ ପ୍ରୟାଗରାଜ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ମସଜିଦ୍‌ରେ ଲାଉଡ୍‌ ସ୍ପିକର ଲଗାଯାଇ ଥିବାରୁ ଅଜାନ ଶବ୍ଦ ଅଧିକ ଶୁଣାଯାଉଥିବାରୁ ତାଙ୍କର ନିଦ୍ରାରେ ବ୍ୟାଘାତ ସୃଷ୍ଟି ହେଉଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସଙ୍ଗୀତା ଚିଠିର ନକଲ ଏସ୍‌ପି, ଆଇଜି ଏବଂ କମିଶନରଙ୍କ ପାଖକୁ ମଧ୍ୟ ପଠାଇଛନ୍ତି। ଚିଠି ୨୦୨୧ ମାର୍ଚ୍ଚ ୩ରେ ଲେଖାଯାଇଛି। ସଙ୍ଗୀତା ଉଲ୍ଲେଖ କରିଛନ୍ତି ଯେ, କୌଣସି ସମ୍ପ୍ରଦାୟର ବିରୋଧ କରୁ ନାହାନ୍ତି। ତେବେ ବିନା ଲାଉଡ୍‌ ସ୍ପିକରରେ ମଧ୍ୟ ଅଜାନ ଦିଆଯାଇ ପାରିବ ବୋଲି ସେ ଚିଠିରେ ଦର୍ଶାଇଛନ୍ତି। କୁଳପତିଙ୍କ ଚିଠି ମିଳିଥିବା ଜିଲାପାଳ ଭାନୁଚନ୍ଦ୍ର ଗୋସ୍ବାମୀ ସୂଚନା ଦେଇଛନ୍ତି। ଚିଠି ଲେଖିବା ପରେ ମାର୍ଚ୍ଚ ୧୫ରୁ କୁଳପତି ଲମ୍ବା ଛୁଟିରେ ଯାଇଛନ୍ତି। ତାଙ୍କ ସ୍ଥାନରେ ପ୍ରଫେସର ଶେଖର ଶ୍ରୀବାସ୍ତବ କୁଳପତି ଦାୟିତ୍ୱରେ ରହିଛନ୍ତି। ସଙ୍ଗୀତାଙ୍କ ଏଭଳି ଅଭିଯୋଗ ନେଇ ଏବେ ରାଜ୍ୟର ରାଜନୈତିକ ସ୍ଥିତିରେ ଉଷ୍ଣତା ଭରିବାରେ ଲାଗିଛି। ଏହାକୁ ନେଇ ସମାଜବାଦୀ ପାର୍ଟି ଏବଂ ଭାଜପା ମଧ୍ୟରେ ଛକାପଞ୍ଝା ଜାରି ରହିଛି।

Share