ମୋ ଘର ଯୋଜନାରେ ଋଣ ମିଳିପାରୁନି

ବ୍ରହ୍ମବରଦା,୧।୧୦(ଯଯାତି କେଶରୀ ବେହେରା):ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ‘ମୋ ଘର’ ଯୋଜନାରେ ଋଣ ମିଳି ପାରୁନାହିଁ। ଫଳରେ ଋଣ ପାଇଁ ଆବେଦନ କରିଥିବା ଅନେକ ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଲୋକଙ୍କ ଆବେଦନ ବ୍ଲକ୍‌ କାର୍ଯ୍ୟାଳୟରୁ ଯାଞ୍ଚ ହୋଇ ବ୍ୟାଙ୍କକୁ ଆସୁଛି। ହେଲେ ବ୍ୟାଙ୍କ ନିୟମରେ ଋଣ ମିଳିବା କଷ୍ଟକର ହୋଇପଡୁଛି। ତେଣୁ ନିୟମରେ ସଂଶୋଧନ କରି ଆବେଦନକାରୀଙ୍କୁ ଋଣ ପ୍ରଦାନ କରିବାକୁ ଦାବି ହୋଇଛି।
ମୋ ଘର ଯୋଜନାରେ ଋଣ ପାଇବାକୁ ହେଲେ ଅନ୍‌ଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡୁଛି। ମାସିକ ସର୍ବାଧିକ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକେ ଏହି ଯୋଜନାରେ ଋଣ ପାଇପାରିବେ। ଏଥିରେ ସର୍ବାଧିକ ୩ ଲକ୍ଷ ଏବଂ ସର୍ବନିମ୍ନ ୧ଲକ୍ଷ ଟଙ୍କା ଋଣ ବ୍ୟବସ୍ଥା ରହିଛି। ସରକାରଙ୍କ ତରଫରୁ ସବସିଡିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଋଣ ପରିଶୋଧ ସମୟ ସୀମା ୧୦ବର୍ଷ ପର୍ଯ୍ୟନ୍ତ ରହିଛି।

ଯାଜପୁର ଜିଲାରେ ମୋଟ ୪୨୨୧୯ଜଣ ଋଣ ପାଇଁ ପଞ୍ଜୀକରଣ କରିଥିବାବେଳେ ସେଥିରୁ ୩୩୬୭୫ ଜଣଙ୍କ ଫର୍ମ ସମ୍ପୂର୍ଣ୍ଣ ହୋଇଛି। ୧୪୧୮୯ ଜଣଙ୍କ ଫର୍ମ ବ୍ଲକ୍‌ ଦ୍ୱାରା ଯାଞ୍ଚ ହୋଇ ବ୍ୟାଙ୍କକୁ ସୁପାରିସ କରାଯାଇଛି। ଏହିକ୍ରମରେ ରସୁଲପୁର ବ୍ଲକ୍‌ର ମୋଟ୍‌ ୩୫୦୯ଜଣ ପଞ୍ଜୀକରଣ କରିଥିବାବେଳେ ୨୬୭୧ଜଣଙ୍କ ଫର୍ମ ପୂରଣ ସମ୍ପୂର୍ଣ୍ଣ କରିଛନ୍ତି। ୧୯୩୧ଜଣଙ୍କ ଫର୍ମ ବ୍ଲକ୍‌ ଦ୍ୱାରାଯାଞ୍ଚ ହୋଇ ବ୍ୟାଙ୍କକୁ ସୁପାରିସ କରାଯାଇଛି। ହେଲେ ଜଣଙ୍କୁ ଛାଡ଼ିଦେଲେ ଆଉ କାହାରିକୁ ଋଣ ମିଳି ପାରିନାହିଁ। ବ୍ଲକ୍‌ର ବ୍ରହ୍ମବରଦା ପଞ୍ଚାୟତରେ ୭୪ଜଣ ପଞ୍ଜୀକରଣ କରିଥିବାବେଳେ ୫୦ଜଣ ଫର୍ମ ପୂରଣ ସମ୍ପୂର୍ଣ୍ଣ କରିଛନ୍ତି। ବ୍ଲକ୍‌ ଦ୍ୱାରା ୩୭ ଫର୍ମ ଯାଞ୍ଚ ହୋଇ ଆବେଦନକାରୀ ଚୟନ କରିଥିବା ବ୍ୟାଙ୍କକୁ ସୁପାରିସ କରାଯାଇଛି। ସେହିପରି ମହେଶ୍ୱରପୁର ପଞ୍ଚାୟତରେ ୫୨ଜଣ ଆବେଦନ କରିଥିବାସ୍ଥଳେ ୨୨ଜଣଙ୍କ ଫର୍ମ ବ୍ୟାଙ୍କରେ ପଡ଼ିରହିଛି। ବନ୍ଧଡ଼ିହରେ ୬୭ଜଣ ଆବେଦନ କରିଥିବାବେଳେ ୨୩ ଜଣଙ୍କ ଫର୍ମ ବ୍ୟାଙ୍କରେ ପଡ଼ି ରହିଛି। ଏ ନେଇ ଜଣେ ଆବେଦନକାରୀ ମହେଶ୍ୱର ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ତାଙ୍କ ଆବେଦନପତ୍ର ଯାଞ୍ଚ ହୋଇସାରିଛି। ହେଲେ ବ୍ୟାଙ୍କ ତରଫରୁ କେବେ ଋଣ ମିଳିବ ତାହାକୁ ସେ ଅପେକ୍ଷା କରି ରହିଛନ୍ତି। ଏ ସମ୍ପର୍କରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବ୍ରହ୍ମବରଦା ଶାଖା ପରିଚାଳକ ଚିନ୍ମୟ କୁମାର ପ୍ରଧାନିଙ୍କୁ ପଚାରିବାରୁ ସେ କହିଛନ୍ତି, ଅନେକ ଆବେଦନକାରୀଙ୍କ ନିଜ ନାମରେ ପଟ୍ଟା ନ ଥିବାରୁ ଋଣ ପ୍ରଦାନରେ ଅସୁବିଧା ହେଉଛି। ଯେଉଁ ଆବେଦନକାରୀଙ୍କ ନିଜ ନାମରେ ପଟ୍ଟା ଅଛି ବ୍ୟାଙ୍କ ତରଫରୁ ସେମାନଙ୍କୁ ତୁରନ୍ତ ଋଣ ପ୍ରଦାନ କରାଯାଉଛି। ଜେଜେ ବାପା କିମ୍ବା ବାପାଙ୍କ ନାମରେ ପଟ୍ଟା ଥିବାରୁ ଆବେଦନକାରୀ ଋଣ ପାଇବାରୁ ବଞ୍ଚତ୍ତ ହେଉଛନ୍ତି।