ଦାହ କରିପାରୁ ନାହାନ୍ତି

ନୂଆଦିଲ୍ଲୀ/ପାଟନା,୧୨ା୫: ଯେତେ ଲୁଚାଇଲେ ବି ଲୁଚୁନାହିଁ ସତ। ହସ୍ପିଟାଲରେ ଅକ୍ସିଜେନ ଓ ଅନ୍ୟ ଜରୁରୀ ସେବା ନ ପାଇ କରୋନା ରୋଗୀ ମରୁଛନ୍ତି। ଶ୍ମଶାନରେ ଶବ ଦାହ କରିବାକୁ ବି ଜାଗା ନାହିଁ। ମୃତଦେହ ସତ୍କାର କରି କରି ଥକିପଡ଼ିଲେଣି। ତେଣୁ ଏବେ ସେଗୁଡ଼ିକୁ ନଈକୁ ଫିଙ୍ଗିଦେଉଛନ୍ତି। ଏଥିଯୋଗୁ ଗଙ୍ଗାରେ ଭାସୁଛି ଶତାଧିକ କରୋନା ସଂକ୍ରମିତଙ୍କ ମୃତଦେହ। ବିହାରର ବକ୍ସାର ଜିଲା ଗଙ୍ଗାନଦୀ କୂଳରେ ଶତାଧିକ ମୃତଦେହ ଭାସିବାର ଦିନକ ପରେ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ(ୟୁପି)ର ଗାଜିପୁର ଗଙ୍ଗାଘାଟରେ। ଲଗାତର ଦ୍ୱିତୀୟ ଦିନ ଧରି ଏଭଳି ଦୃଶ୍ୟ ସମଗ୍ର ଉତ୍ତର ଭାରତରେ ଆତଙ୍କ ଖେଳାଇ ଦେଇଛି। ବିଶେଷକରି ସ୍ବାସ୍ଥ୍ୟସେବା ଅପହଞ୍ଚ ଗ୍ରାମାଞ୍ଚଳରେ ଚିକିତ୍ସା ସୁବିଧା ନ ପାଇ ରୋଗୀ ପ୍ରାଣ ହରାଉଥିବାବେଳେ ମୃତ୍ୟୁସଂଖ୍ୟା ଲୁଚାଇବା ପାଇଁ ଏହା ଏକ ବିଧିବଦ୍ଧ ଚକ୍ରାନ୍ତ ବୋଲି କୁହାଯାଉଛି।
ବିହାରର ବକ୍ସାର ଜିଲା ଚଉସା ଗ୍ରାମସ୍ଥିତ ଏକ ଶ୍ମଶାନ ଘାଟ ନିକଟରେ ସୋମବାର ବହୁ ସଂଖ୍ୟକ ପଚାଶଢ଼ା ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସେଗୁଡ଼ିକ ୟୁପିରୁ ଭାସିଆସିଥିବା କୁହାଯାଇଥିଲା। ମଙ୍ଗଳବାର ଆମ୍ବୁଲାନ୍ସରେ ମୃତଦେହଗୁଡ଼ିକୁ ଆଣି ସେଠାରୁ ୫୫ କି.ମି. ଦୂର ଗାଜିପୁରସ୍ଥିତ ଗଙ୍ଗା ଘାଟରେ ଫିଙ୍ଗି ଦିଆଯାଇଛି। ଆମ୍ବୁଲାନ୍ସ ଡ୍ରାଇଭରମାନେ ମୃତଦେହ ଫିଙ୍ଗୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିହାର ଓ ୟୁପି ସୀମାରେ ଥିବା ଏକ ବ୍ରିଜ୍‌ ତଳେ ଭାସମାନ ଶହ ଶହ ମୃତଦେହର ହୃଦୟ ବିଦାରକ ଦୃଶ୍ୟ କୋଭିଡ୍‌-୧୯ର ମୁକାବିଲାରେ ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇଛି। ରୋଗୀଙ୍କ ମୃତଦେହ ସତ୍କାର କରା ନ ଯାଇ ନଈକୁ ଫିଙ୍ଗାଯିବା ପ୍ରଶାସନର ସମ୍ବେଦନହୀନତାକୁ ଦର୍ଶାଉଛି। ବିହାରର ଭାଜପା ଏମ୍‌ପି ଜନାର୍ଦ୍ଦନ ସିଂ ସିଗ୍ରିଓ୍ବାଲ କହିଛନ୍ତି, କେତେଜଣ ଆମ୍ବୁଲାନ୍ସ ଡ୍ରାଇଭର ୟୁପିର ବାଲିଆ ଓ ବିହାରର ସରନ ସୀମାସ୍ଥିତ ଜୟପ୍ରଭା ସେତୁରେ ମୃତଦେହଗୁଡ଼ିକୁ ଆଣି ଫିଙ୍ଗୁଛନ୍ତି। ସେମାନଙ୍କୁ ଏଥରୁ ନିବୃତ୍ତ କରିବା ପାଇଁ ବକ୍ସାର ଜିଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ତେବେ ସ୍ଥାନୀୟ ଲୋକେ ଏଥିପାଇଁ ଦୁଇ ରାଜ୍ୟକୁ ଦାୟୀ କରିଛନ୍ତି। ଉଭୟ ବିହାର ଓ ୟୁପିର ଡ୍ରାଇଭରମାନେ ମୃତଦେହ ଆଣୁଛନ୍ତି ବୋଲି ଅରବିନ୍ଦ ସିଂ ନାମକ ଜଣେ ବ୍ୟକ୍ତି କହିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ସାରା ରାତି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ କରାଯାଇଥିଲା। ସେଗୁଡ଼ିକ ଶଢ଼ିଯାଇଥିବାରୁ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଡିଏନ୍‌ଏ ପରୀକ୍ଷା କରି ପରିଚୟ ସ୍ପଷ୍ଟ ପାଇଁ ଉଦ୍ୟମ ଚାଲିଛି। କାଠ ଅଭାବରୁ ମୃତଦେହଗୁଡ଼ିକୁ ଭସାଇ ଦିଆଯାଉଥିବା ନେଇ ପ୍ରଚାର ମିଛ ବୋଲି ଜିଲାପାଳ ଅମନ ସମୀର କହିଛନ୍ତି। ଗ୍ରାମାଞ୍ଚଳର ଶ୍ମଶାନଗୁଡ଼ିକରେ କୋଭିଡ୍‌ ପ୍ରୋଟୋକଲ ଅଭାବରୁ ସ୍ଥାନୀୟ ଲୋକେ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ସତ୍କାର କରିବାକୁ ଭୟ କରୁଥିବା ମଧ୍ୟ କୁହାଯାଉଛି। ଏହି ଘଟଣା ଦେଶବ୍ୟାପୀ ଉଦ୍‌ବେଗ ସୃଷ୍ଟି କରିବା ପରେ ଗାଜିପୁର ଜିଲା ପ୍ରଶାସନ ତତ୍ପରତା ଦେଖାଇଛି। ମୃତଦେହ ଭାସୁଥିବା ସ୍ଥାନକୁ ଅଫିସରମାନଙ୍କୁ ପଠାଯାଇଛି। ସେମାନେ ତଦନ୍ତ କରୁଛନ୍ତି ବୋଲି ଗାଜିପୁର ଜିଲାପାଳ ଏମ୍‌.ପି. ସିଂ ସୂଚନା ଦେଇଛନ୍ତି।

ଗୋଆରେ ୨୬, ତିରୁପତିରେ ୧୩ ମୃତ
ଅକ୍ସିଜେନ ସଙ୍କଟ କେବଳ ଦିଲ୍ଲୀ କି ମୁମ୍ବାଇରେ ସୃଷ୍ଟି ହୋଇନାହିଁ, ବରଂ ସାରା ଦେଶରେ ଏହି ସମସ୍ୟା ଜଟିଳ ରୂପ ଧାରଣ କରିଛି। ଆମେ ବ୍ୟବସ୍ଥା କରୁଛୁ ବୋଲି କେନ୍ଦ୍ର ସରକାର ଯେତେ ସଫେଇ ଦେଲେ ବି ବାସ୍ତବ କ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ। ଏପରି କି ଅକ୍ସିଜେନ ଯୋଗାଣ ସୁନିଶ୍ଚିତ କରିବା ନେଇ ରାଜ୍ୟଗୁଡ଼ିକର ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିସାରିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଟାସ୍କଫୋର୍ସ ଗଠନ କରିଛନ୍ତି। ହେଲେ ଏହାର ସୁଫଳ ରାଜ୍ୟଗୁଡ଼ିକୁ ମିଳିପାରି ନାହିଁ। ଗୋଆର ଏକ ସରକାରୀ ହସ୍ପିଟାଲରେ ମାତ୍ର ୪ ଘଣ୍ଟା ମଧ୍ୟରେ ୨୬ କରୋନା ରୋଗୀ ଅମ୍ଳଜାନ ନ ପାଇ ପ୍ରାଣ ହରାଇଛନ୍ତି। ସେହିପରି ଆନ୍ଧ୍ରର ତିରୁପତି ହସ୍ପିଟାଲରେ ଅକ୍ସିଜେନ ଟ୍ୟାଙ୍କର ୪୫ ମିନିଟ ବିଳମ୍ବରେ ପହଞ୍ଚତ୍ଥିବାବେଳେ ସେଯାଏ ୧୧ ଚିକିତ୍ସାଧୀନ ସଂକ୍ରମିତଙ୍କ ମୃତ୍ୟୁ ଘଟିସାରିଥିଲା। ଏହି ସଂଖ୍ୟା ୧୩ରେ ପହଞ୍ଚତ୍ଥିବାବେଳେ ଅନ୍ୟ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଏଇଟା ମାତ୍ର ଦୁଇ ଟ୍ରାଜେଡି। ଜୀବନ ରକ୍ଷାକାରୀ ଔଷଧ, ଇଞ୍ଜେକ୍ସନ ଓ ଅନ୍ୟ ଜରୁରୀ ଉପକରଣ ନ ପାଇ ସବୁବେଳେ କେଉଁଠି ନା କେଉଁଠି ଲୋକେ ପ୍ରାଣ ହରାଉଛନ୍ତି। ନାହିଁ ନାହିଁରେ ନାମକୁ ମାତ୍ର ଚାଲିଛି ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା। ଅଦ୍ୟାବଧି ୨୦୦ରୁ ଊର୍ଦ୍ଧ୍ୱ କୋଭିଡ୍‌ ରୋଗୀ ଅକ୍ସିଜେନ ନ ପାଇ ବିଭିନ୍ନ ହସ୍ପିଟାଲରେ ଆଖି ବୁଜିସାରିଲେଣି। ଏହା ହିଁ ବୟାନ କରୁଛି ଦେଶରେ କେତେ ନିମ୍ନକୁ ଖସିଯାଇଛି ଲିକ୍ୟୁଇଡ୍‌ ମେଡିକାଲ୍‌ ଅକ୍ସିଜେନ(ଏଲ୍‌ଏମ୍‌ଓ)ର ଯୋଗାଣ ସ୍ତର।
ଗୋଆ ମେଡିକାଲ୍‌ କଲେଜ୍‌ ଆଣ୍ଡ ହସ୍ପିଟାଲ(ଜିଏମ୍‌ସିଏଚ୍‌)ରେ ମଙ୍ଗଳବାର ଅକ୍ସିଜେନ ଅଭାବରୁ ୨୬ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଘଟିଛି। ରାତି ୨ଟାରୁ ସକାଳ ୬ଟା ମଧ୍ୟରେ ଏହି ସମସ୍ତ ରୋଗୀ ଆଖି ବୁଜିଦେଇଥିବା ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ୍‌ ରାଣେ ସ୍ବୀକାର କରିଛନ୍ତି। କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଛି ତାହା ଜାଣିବା ପାଇଁ ହାଇକୋର୍ଟଙ୍କ ଦ୍ୱାରା ତଦନ୍ତ କରାଯାଉ ବୋଲି ରାଣେ ଦାବି କରିଛନ୍ତି। ସୋମବାର ସୁଦ୍ଧା ଉକ୍ତ ହସ୍ପିଟାଲକୁ ୧୨୦୦ ଜୁମ୍ବୋ ସିଲିଣ୍ଡର ଆବଶ୍ୟକ ଥିବାବେଳେ ମାତ୍ର ୪୦୦ ଯୋଗାଣ ହୋଇଥିଲା। ଅକ୍ସିଜେନ ଯୋଗାଣ ନିଅଣ୍ଟିଆ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ରାଣେ କହିଥିବାବେଳେ ରୋଗୀଙ୍କ ମୃତ୍ୟୁର କାରଣ ବିଷୟକୁ ସେ ଏଡ଼ାଇଯାଇଛନ୍ତି। କହିଛନ୍ତି, ହାଇକୋର୍ଟ ଏହାର ତଦନ୍ତ କରିବା ଉଚିତ। ଏହାସହ ଜିଏମ୍‌ସିଏଚ୍‌କୁ ଅକ୍ସିଜେନ ଯୋଗାଣ ନେଇ ହସ୍ତକ୍ଷେପ ସହ ଏ ସମ୍ପର୍କିତ ଏକ ଶ୍ୱେତପତ୍ର ପ୍ରସ୍ତୁତ କରିବା ଉଚିତ। ରାଜ୍ୟ ସରକାର ଏହାର ଅନୁଧ୍ୟାନ କରିବା ପାଇଁ ୩ ସଦସ୍ୟ ବିଶିଷ୍ଟ ଟିମ୍‌ ଗଠନ କରିଛନ୍ତି। ଏହା ପୂର୍ବରୁ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଜିଏମ୍‌ସିଏଚ୍‌ ପରିଦର୍ଶନରେ ଯାଇ କହିଥିଲେ, କୋଭିଡ୍‌-୧୯ ଓ୍ବାର୍ଡଗୁଡ଼ିକରେ ଅକ୍ସିଜେନ ଉପଲବ୍ଧତାର ବ୍ୟବଧାନ ଯୋଗୁ ରୋଗୀଙ୍କ ପାଇଁ କିଛି ସମସ୍ୟା ସୃଷ୍ଟି ହୋଇଥାଇପାରେ। ତେବେ ରାଜ୍ୟରେ ଅକ୍ସିଜେନର ଅଭାବ ନାହିଁ। ପ୍ରକାଶ ଯେ, ସୋମବାର ଗୋଆରେ ୫୦ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଘଟିବା ସହ ମୋଟ ମୃତ୍ୟୁସଂଖ୍ୟା ୧,୭୨୯ରେ ପହଞ୍ଚତ୍ଥିଲା। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୧,୨୧,୬୫୦ ଡେଇଁଥିଲା।
ଆନ୍ଧ୍ର ପ୍ରଦେଶର ତିରୁପତି ଏସ୍‌ଭିଆର୍‌ ରୁଇଆ ସରକାରୀ ହସ୍ପିଟାଲକୁ ଶ୍ରୀପେରୁମ୍ବୁଦୁରରୁ ୧୦ କେଏଲ୍‌ ଅକ୍ସିଜେନ ଆସିଲା ୪୫ ମିନିଟ ବିଳମ୍ବରେ। ସୋମବାର ରାତି ପ୍ରାୟ ୮ଟା ୩୦ରେ ୧୧ କୋଭିଡ୍‌ ରୋଗୀ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ଘଟିଲା। ମଙ୍ଗଳବାର ମୃତକଙ୍କ ସଂଖ୍ୟା ୧୩ରେ ପହଞ୍ଚତ୍ଥିବାବେଳେ ଆଉ ୩ ଜଣ ବଞ୍ଚତ୍ବା ପାଇଁ ସଂଘର୍ଷ କରୁଛନ୍ତି। ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିବା ରୋଗୀଙ୍କ ସମ୍ପର୍କୀୟମାନେ ସେମାନଙ୍କ ମୃତଦେହ ଧରି ଫେରିଲେ। ଅକ୍ସିଜେନ୍‌ ଯୋଗାଣ ବାଧାପ୍ରାପ୍ତ ହେବାରୁ ୧୩ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ଉକ୍ତ ହସ୍ପିଟାଲର ଡାକ୍ତର ହରି କ୍ରିଷ୍ଣା ସୂଚନା ଦେଇଛନ୍ତି। ସୂଚନାନୁସାରେ ୧,୦୦୦ ଶଯ୍ୟା ବିଶିଷ୍ଟ ତିରୁପତି ରୁଇଆ ହସ୍ପିଟାଲକୁ କୋଭିଡ୍‌-ସ୍ପେଶାଲିଟି ହସ୍ପିଟାଲରେ ପରିବର୍ତ୍ତିତ କରାଯାଇଛି। ସେଠାରେ ଅକ୍ସିଜେନ ସଙ୍କଟ ଥିବା ନେଇ ପୂର୍ବରୁ ସରକାରଙ୍କୁ ଅବଗତ କରାଯାଇଥିଲା। ଅକ୍ସିଜେନ ଯୋଗାଣ ବିଳମ୍ବ ହେବାରୁ ୪୫ ମିନିଟ ଧରି ଛଟପଟ ହୋଇ ଆଖି ବୁଜିଦେଲେ। ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏହାସହ ବର୍ତ୍ତମାନ ସ୍ଥିତିରେ ରାଜ୍ୟକୁ ଦୈନିକ ୯୧୦ ଟନ୍‌ ଲିକୁଇଡ୍‌ ମେଡିକାଲ୍‌ ଅକ୍ସିଜେନ ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଆନ୍ଧ୍ରକୁ ଏପ୍ରିଲ ୨୪ରେ ୪୮୦ ମେଟ୍ରିକ୍‌ ଟନ୍‌ ଏଲ୍‌ଏମ୍‌ଓ ଯୋଗାଇ ଦିଆଯାଉଥିବାବେଳେ ମେ ୮ରୁ ଏହାକୁ ୫୯୦ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି କରାଯାଇଛି।
ପ୍ରକାଶ ଯେ, ନିକଟରେ କର୍ନାଟକର ଚମରାଜନଗର ଜିଲା ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୪ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏପ୍ରିଲ ୨୪ରେ ଦିଲ୍ଲୀର ଜୟପୁର ଗୋଲ୍ଡେନ୍‌ ହସ୍ପିଟାଲରେ ୨୦ ରୋଗୀଙ୍କ ଜୀବନ ଯାଇଥିବାବେଳେ ଦିନକ ପୂର୍ବରୁ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ମଧ୍ୟ ୨୫ ସଂକ୍ରମିତ ଚିକିତ୍ସାଧୀନ ଥାଇ ପ୍ରାଣ ହରାଇଥିଲେ। ଏସବୁ ମୃତ୍ୟୁସଂଖ୍ୟାକୁ ମିଶାଇଲେ ୨୦୦ରୁ ଊର୍ଦ୍ଧ୍ୱ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?