Categories: ଜାତୀୟ

‘ରାମଙ୍କ ବିନା ଦେଶର ପରିକଳ୍ପନା ନାହିଁ’

ନୂୂଆଦିଲ୍ଲୀ,୧୦ା୨: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହି ଦିନ ଭାରତର ଯାତ୍ରା ଆରମ୍ଭର ଦିନ। ଯେଉଁମାନେ ରାମ ବିନା ଭାରତକୁ କଳ୍ପନା କରନ୍ତି ସେମାନେ ଭାରତ କ’ଣ ଜାଣନ୍ତି ନାହିଁ। ରାମମନ୍ଦିର ଐତିହାସିକ ନିର୍ମାଣ ଏବଂ ରାମଲାଲାର ପ୍ରାଣପ୍ରତିଷ୍ଠା ଉପରେ ଆଲୋଚନା ବେଳେ ଲୋକ ସଭାରେ ଯୋଗ ଦେଇ ଶାହା ଏପରି କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଥମେ ଅଯୋଧ୍ୟାରେ ମହାନ ରାମମନ୍ଦିର ନିର୍ମାଣ ଭୂପୂଜନ ଏବଂ ତା’ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା। ତାଙ୍କ ନେତୃତ୍ୱ ବିନା ଏହା ସମ୍ଭବ ହୋଇ ନ ଥାନ୍ତା।

ସେ କହିଛନ୍ତି, ୧୫୨୮ ପରଠାରୁ ପ୍ରତ୍ୟେକ ପିଢ଼ି ଏହି ଆନ୍ଦୋଳନର ପ୍ରତ୍ୟେକ ରୂପ ଦେଖିଛନ୍ତି। ଏହି ପ୍ରୟାସ ଦୀର୍ଘଦିନ ଧରି ଅଟକି ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଏହି ସ୍ବପ୍ନ ପୂରଣ ହୋଇଛି ଏବଂ ଆଜି ଦେଶ ଏହା ପୂରଣ ହୋଇଥିବା ମଧ୍ୟ ଦେଖୁଛି। ସେ କହିଛନ୍ତି, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାଧୁସନ୍ଥଙ୍କ ପରାମର୍ଶରେ ପ୍ରଧାନମନ୍ତ୍ରୀ ଯେଉଁଭଳି ଭାବରେ ୧୧ ଦିନ ଉପବାସ କରିଥିଲେ, ତାହା ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ଅଟେ। ଯେତେବେଳେ ସମର୍ପଣର ସମୟ ଆସିଲା, ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା କୌଣସି ରାଜନୈତିକ ସ୍ଲୋଗାନ ଉଠାଇ ନ ଥିଲେ ବରଂ ଭଜନ ମାଧ୍ୟମରେ ଦେଶରେ ଏକ ଭକ୍ତି ଆନ୍ଦୋଳନ ସୃଷ୍ଟି କରିଥିଲେ।

Share