ଜେଲେନ୍‌ସ୍କିଙ୍କ ଭିଡିଓ ସମ୍ବୋଧନରୁୁ ଆରମ୍ଭ ହେଲା କାନସ୍ ଫିଲ୍ମ ଫେଷ୍ଟିଭାଲ

ଫ୍ରାନ୍ସ,୧୮ ।୫: ଚଳିତ ବର୍ଷର କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୫ତମ ସଂସ୍କରଣର ଆରମ୍ଭ ରୁଷିଆ ଆକ୍ରମଣକୁ ସାମ୍ନା କରୁଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍‌ସ୍କିଙ୍କ ଭିଡିଓ ସମ୍ବୋଧନରୁ ଆରମ୍ଭ ହୋଇଛି । ମଙ୍ଗଳବାର ଅର୍ଥାତ୍ ୧୭ ମେ ୨୦୨୨ରେ ଆରମ୍ଭ ହୋଇଥିବା ଏହି ଫେଷ୍ଟିଭାଲ ୨୮ ମେ’ ପର୍ଯ୍ୟନ୍ତ ଚାଲିବ । ଭିଡିଓ ବାର୍ତ୍ତାରେ ଜେଲନ୍‌ସ୍କି ପରୋକ୍ଷଭାବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କୁ ଟାର୍ଗେଟ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୨୦ରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ବନ୍ଦ ଥିବା ବେଳେ ୨୦୨୧ରେ ଛୋଟ ଧରଣର ଆୟୋଜନରେ ଏହା କରାଯାଇଥିଲା । ଫିଲ୍ମ ଫେଷ୍ଟିଭାଲ ଆରମ୍ଭରେ ଜେଲେନ୍‌ସ୍କି ଭବିଷ୍ୟତର ଫିଲ୍ମ ନିର୍ମାତାଙ୍କୁ ଫାଶିଜିମ ଉପରେ ବ୍ୟଙ୍ଗ କରିବା ଓ ଚୁପ ନ ରହିବାକୁ ଅନୁରୋଧ କରିଥିଲେ । ଏହାସହ ଏଡଲ୍ଫ ହିଟଲରଙ୍କ ଉପରେ ଚାର୍ଲି ଚାପଲିନଙ୍କ ବ୍ୟଙ୍ଗକୁ ମଧ୍ୟ ପଶଂସା କରିଥିଲେ ।
ଉଦଘାଟନି ସମାରୋହ ଆରମ୍ଭରେ ଜେଲେନ୍‌ସ୍କି ସିନେମା ଓ ବାସ୍ତବତା ମଧ୍ୟରେ ସମ୍ପର୍କ ବିଷୟରେ ଦୀର୍ଘ ସମୟ ନିଜର ମତ ଦେଇଥିଲେ । ଫ୍ରାନସିସ ଫୋର୍ଡ କପୋଲାଙ୍କ ‘ଆପୋକୈଲିପ୍ସ ନଉ’ ଓ ଚାର୍ଲି ଚାପଲିନଙ୍କ ‘ ଦ ଗ୍ରେଟ ଡିଟେକ୍ଟର’ ଭଳି ଫିଲ୍ମ ତାଙ୍କ ପାଇଁ ପ୍ରେରଣା ବୋଲି ଜେଲେନ୍‌ସ୍କି କହିଛନ୍ତି ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭରେ, ୧୯୪୦ରେ ମୁକ୍ତିଲାଭ କରିଥିବା ‘ଦ ଗ୍ରେଟ ଡିଟେକ୍ଟର’ରେ ଚାପଲିନଙ୍କ ଅନ୍ତିମ ଭାଷଣକୁ ଉଦ୍ଧୃତ କରି କହିଥିଲେ, ‘ପୁରୁଷଙ୍କ ଘୃଣା ଶେଷ ହେବ, ଆଉ ଏକଛତ୍ରବାଦୀ ଶାସକର ମୃତ୍ୟୁ ହେବ, ଆଉ ସେହି ଶାସନ ଯାହା ସେ ଜନତାଙ୍କ ନିକଟରୁ ଛଡାଇ ନେଇଥିଲେ , ତାହା ଜନତାଙ୍କ ନିକଟକୁ ଫେରି ଆସିବ’ । ଶେଷରେ ସେ ଅନୁରୋଧ କରିଥିଲେ କି ସିନେମା ସର୍ବଦା ସ୍ୱାଧିନତା ସପକ୍ଷରେ ହେବା ଉଚିତ ।

Share