୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ପିକଅପ୍‌ ଭ୍ୟାନ ସହ ଧରାପଡ଼ିଲେ ଡ୍ରାଇଭର

ବଲାଙ୍ଗୀର ଅଫିସ,୨୭।୨: ବଲାଙ୍ଗୀର ସହର ଉପକଣ୍ଠ ବିଜାଖମନ ନିକଟରୁ ଏକ ଗଞ୍ଜେଇ ବୋଝେଇ ପିକଅପ୍‌ ଭ୍ୟାନକୁ ବଲାଙ୍ଗୀର ପୋଲିସ ସୋମବାର ଜବତ କରି ଡ୍ରାଇଭରଙ୍କୁ ଗିରଫ କରିଛି । ଗିରଫ ଡ଼୍ରାଇଭର ଜଣକ ଛତିଶଗଡ଼ ରାୟଗଡ଼ ସହରର ଓମ୍‌ପ୍ରକାଶ ଛାବଡା(୬୦)।

ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପୋଲିସକୁ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏନେଇ ପୋଲିସର ଏକ ଟିମ୍‌ ଚଢାଉ କରି ଚୋରା ଚାଲାଣ ହେଉଥିବା ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ଲକ୍ଷ ଟଙ୍କାରୁ ଊଦ୍ଧର୍‌ବ ହେବ ବୋଲି ପୋଲିସ ପକ୍ଷରୁ ଆକଳନ କରାଯାଇଛି।

ଅନ୍ୟପକ୍ଷେ ବଡ଼ ବଡ଼ ଆଲୁମିନିୟମ ବାକ୍ସରେ ଗଞ୍ଜେଇ ଭର୍ତ୍ତି କରାଯାଇ ଗାଡ଼ିରେ ଚୋରା ଚାଲାଣ କରାଯାଉଥିଲା। ଅନ୍ୟପକ୍ଷେ ଓମ୍‌ପ୍ରକାଶ ନିଜକୁ ଗାଡ଼ି ଡ୍ରାଇଭର ବୋଲି ପରିଚୟ ଦେଉଥିବା ବେଳେ ପୋଲିସ ତାଙ୍କୁ ଗାଡ଼ି ମାଲିକ ବୋଲି ସନ୍ଦେହ କରୁଛି। ଗଞ୍ଜେଇ ରାୟଗଡ଼ାରୁ ଛତିଶଗଡ଼ ରାୟଗଡ଼ ଅଞ୍ଚଳକୁ ଚାଲାଣ ହେଉଥିବା ଜଣାପଡିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।