ପରଜଙ୍ଗ,୭ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁଆଳୋ ଗାଁ ଯାତ୍ରା ପଡ଼ିଆ ନିକଟରୁ ବୁଧବାର ଭୋଟ୍ କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ୍। ଗିରଫ ଅଭିଯୁକ୍ତ କୁଆଳୋ ଗାଁର ଗିରିଶ ସାହୁ। ଦୀର୍ଘବର୍ଷ ଧରି ଲକ୍ଷଲକ୍ଷ ଟଙ୍କାର ଗଞ୍ଜେଇ ମଗାଇ ପରଜଙ୍ଗ ଅଞ୍ଚଳ ତଥା ଜିଲା ବାହାରକୁ ଚାଲାଣ କରିଥାନ୍ତି ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଗିରିଶଙ୍କଠାରୁ ୨୧ କିଲୋ ୭୫୦ ଗ୍ରାମର ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୧୮ ହଜାର ଟଙ୍କା ହେବ ବୋଲି ଅବକାରୀ ସୂତ୍ରରୁ ପ୍ରକାଶ। ଏଥିସହିତ ଗୋଟିଏ ବାଇକ୍କୁ ମଧ୍ୟ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ଟିମ୍ ମିଳିତ ଭାବେ ଚଢ଼ାଉ କରି ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିଲେ। ତେବେ ମାଫିଆ ଜଣଙ୍କ ଦୀର୍ଘଦିନ ହେବ ବୌଦ୍ଧରୁ ଗଞ୍ଜେଇ ଆଣି ଢେଙ୍କାନାଳର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ। ଏ ନେଇ ଅଭିଯୁକ୍ତଙ୍କୁ ଗିରଫ ପରେ ତଦନ୍ତ ଆରମ୍ଭ କରି ଦେଇଛି ଅବକାରୀ ବିଭାଗ।


